Unknown

ନିର୍ମାଲ୍ୟ

ନନ୍ଦକିଶୋର ବଳ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି-ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :-

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?”

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ-

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:-

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’-ବିଶେଷରେ ତାହାର ‘କାକବାରତା’ କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି-କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ-। ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା’ କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’-ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:-

 

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

 

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’-

 

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

 

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

 

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନଥାଏ-। ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :-

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।”

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା-ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି-? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

 

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇନଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Renaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭ୍ୟୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ-। ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ-। ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ-। ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ-। ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪/୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ-। ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ୍‌ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ-। ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି- “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ- “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ-। ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି-ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ-। ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ-ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ-

 

କୁସୁପୁର

 

ତା ୨୫ । ୪ । ୧୯୫୫

ଶ୍ରୀ ସୂର୍ଯ୍ୟମଣି ଜେନା

 

ନିର୍ମାଲ୍ୟ

ମୟୂରଭଞ୍ଜାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ମହୋଦୟ ପୂଣ୍ୟଶ୍ଳୋକେଷୁ ନିବେଦନମିଦଂ-

 

ଶ୍ରୀମନମହାରାଜ,

 

ଶ୍ରୀଛାମୁ ସ୍ୱୀୟ କର୍ତ୍ତବ୍ୟନିଷ୍ଠା, ସୁଶୃଙ୍ଗଳ ରାଜ୍ୟଶାସନ, ସଂଯତ ଚରିତ୍ର, ଜ୍ଞାନୋଜ୍ଜ୍ୱଳ ଧର୍ମବିଶ୍ୱାସ, ଅଦମ୍ୟ ଜ୍ଞାନାର୍ଜ୍ଜନପିପାସା, ଉତ୍କଳ−ସାହିତ୍ୟପ୍ରତି ଉତ୍ସାହ ପ୍ରଦର୍ଶନଦ୍ୱାରା ଉତ୍କଳର ମୁଖେଜ୍ଜ୍ୱଳ କରିଅଛନ୍ତି । ଏତ୍‌ନ୍ନିମିତ୍ତ ମୁଁ ଆପଣାଙ୍କ ଚିରଭକ୍ତ ।

 

ପ୍ରେକ୍ତ ଭକ୍ତିର ନିଦର୍ଶନସ୍ୱରୁପ ଅଦ୍ୟ “ନିର୍ମାଲ୍ୟ” ନାମଧେୟ ଏହି କବିତାସଂଗ୍ରହ ଶ୍ରୀଛମୁଙ୍କ ପବିତ୍ର ନାମରେ ଉତ୍ସର୍ଗ କଲି । ନିର୍ମାଲ୍ୟ ପ୍ରଦାନରେ ଉଚ୍ଚ ନୀଚ ବିଚାର ହୁଏ ନାହିଁ ଏବଂ ଏହା ଆନ୍ତରିକ ଭକ୍ତିର ନିଦର୍ଶନ, ଏହା ଭାବି ଶ୍ରୀଛାମୁ ଏହା ଗ୍ରହଣ ଓ ପାଠ କଲେ ଚିରବାଧିତ ହେବି । ଇତି ।

                                    ବିନୟାବତ

                                    ଶ୍ରୀ ନନ୍ଦକିଶୋର ବଳ

 

ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ

ଭାରତୀ କାନନ-କୁଞ୍ଜ-ବିହାର-ରସିକ,

ଉତ୍କଳସାହିତ୍ୟ-ଚିର-ଉତ୍ସାହ-ଦାୟକ,

ପ୍ରକୃତିରଞ୍ଜନ ପ୍ରିୟଦର୍ଶୀ ନରପତି,

ଉଦ୍ଦାମ ଯୌବନେ ଶାନ୍ତ ସୁସଂଯତ ଯତି,

ଭୂଭାରତେ ଉତ୍କଳର ମୂଖୋଜ୍ଜ୍ୱଳକାରୀ,

ପଦେ ନୃପ, ମନେ ଜ୍ଞାନଯୋଗୀ ବହ୍ମଚାରୀ,

କ୍ଷାତ୍ର ତେଜେ ଶୂର ବୀର ଭାସ୍କର ବଂଶୀୟ

ପାଶ୍ଚାତ୍ୟ ସଭ୍ୟତାଲୋକପ୍ରାପ୍ତ ଉତ୍କଳୀୟ,

ନବ ଯୁଗ ପ୍ରଭାତରେ ଜାଗ୍ରତ ସକଳ,

ହୀନ ହୋଇ ପଡ଼ିଅଛି କେବଳ ଉତ୍କଳ,

ଦୁଃଖିନୀ ଜନମ-ଭୂମି ଶ୍ରୀଛାମୁ-ଶ୍ରୀମୁଖ

ଅନାଇ ସ୍ୱପନ ଦେଖେ ଭବିଷ୍ୟତ-ସୁଖ ।

ଚାହଁ ଦେବ ! ସ୍ୱଜାତୀୟ-ଉନ୍ନତି-କାରଣେ

ଜାତୀୟ ସାହିତ୍ୟ ପ୍ରତି କରୁଣା ନୟନେ ।

 

ତୀର୍ଥ ଯାତ୍ରା

ଖେଳୁଥିଲି କରି ଧୂଳିଘର

ବନ୍ଧୁ ଆସି କହିଲେ ମୋହର,

“ଚାଲ ଯିବା ତୀର୍ଥଯାତ୍ରୀ କରି

ଆନନ୍ଦଧାମରେ ଯହିଁ ହରି ।”

ଭ୍ରମିଲଇଁ କେତେ କେତେ ଦେଶ

ନ ମିଳିଲା ତାହାଙ୍କ ସନ୍ଦେଶ ।

ଜଡ଼-ପ୍ରାଣୀ-ଉଦ୍ଭିଦ ଜଗତେ

ଲୋଡ଼ିଲି ମୁଁ ତାଙ୍କୁ କେତେ କେତେ ।

ବିଚିତ୍ର, ଲାବଣ୍ୟମୟ ଧରା

ଚିର ନବ ଋତୁ ପରମ୍ପରା

ପୂର୍ଣ୍ଣ-ଇନ୍ଦୁ-ଲୋଳ-ସାନ୍ଦ୍ର-ଘଳ-

ଇନ୍ଦ୍ରଧନୁମଣ୍ଡିତ ଗଗନ,

ସୂର୍ଯ୍ୟ, ଚନ୍ଦ୍ର, ତାରକା, ସାଗର,

ଗିରି, ନଦୀ, କାନନ, ପ୍ରାନ୍ତର,

ପଲ୍ଲବ କୁସୁମ, ତରୁଲତା-

ମକସ୍ତଙ୍କୁ ପୁଚ୍ଛିଲି ବାରତା ।

 

ବିହଙ୍ଗମ ମଧୁର ନିସ୍ୱନ,

ନରନାରୀ ସୁନ୍ଦର ଆନନ,

ଅବନୀର ଅତୀତ କାହାଣୀ,

ଜ୍ଞାନୀ-କବି-ଉପଦେଶ ବାଣୀ,

 

ଖୋଜି ଖୋଜି ହେଲି ମୁଁ ନିରାଶ

ପ୍ରାଣ ମୋର ଉଦାସ ଉଦାସ ।

ନ ପାଇଣ ପ୍ରାଣର ଆଶ୍ରୟ

ମନ ହେଲା ପାପପଙ୍କମୟ ।

 

କିନ୍ତୁ ଶୁଣି କାହାର ଆହ୍ୱାନ

ଧରା-ଧୂଳି-ଅତୃପ୍ତ ମୋ ପ୍ରାଣ ?

ଅଲକ୍ଷିତେ ବୋଇଲା କେ ଗିର-

“ଖୋଜ ଖୋଜ ହୃଦୟ-ମନ୍ଦିର

 

ବାହାରର ତେଜି ଆଡ଼ମ୍ବର

ପ୍ରବେଶ ତୁ ଅନ୍ତରେ ନିଜର ।

ନ ଦେଖିଲେ ହୃଦୟ କନ୍ଦରେ

ନ ମିଳିବ ବିଶ୍ୱବ୍ରହ୍ନାଣ୍ଡରେ ।”

 

ଦେଖିଲି ମୁଁ ଅନ୍ତରକୁ ଚାହିଁ-

ଅନ୍ଧକାର ଛଡ଼ା କିଛି ନାହିଁ ।

ଥିଲା ଯାହା ଜ୍ଞାନ ମୋ ସଞ୍ଚିତ

ସଂଶୟ ସେ କଲା ଦ୍ୱିଗୁଣିତ ।

 

ନୈରାଶ୍ୟରେ ଜର୍ଜ୍ଜରିତ ପ୍ରାଣ

ହେଲା ପୁଣି ଦୁଃଖେ ମ୍ରିୟମାଣ ।

ସଂସାରର ସୁଖ ସଖ୍ୟ ଜ୍ଞାନ

ପ୍ରାଣେ ଶାନ୍ତି ନ କଲା ପ୍ରଦାନ ।

 

ଶୁଣିଲି ମୁଁ ଅଜ୍ଞାତ ଆଦେଶ-

“ଶୁଦ୍ଧ କର ହୃଦୟ ପ୍ରଦେଶ,

ପବିତ୍ର ନ କଲେ ପ୍ରାଣ ମନ

ପାପୀସତ୍ୟ ନ କରେ ଦର୍ଶନ ।”

 

ମନ ରିପୁ କବଳୁଁ ବାହାର-

କରିବା ତ ବିଷମବ୍ୟାପାର ।

ବିଷମ ସଂଗ୍ରାମେ ପରାଜିତ

ବାରମ୍ୱାର ହେଲଇଁ ବ୍ୟଥିତ ।

 

 

ବୋଇଲି ବିକଳେ “କୃପାକରି

ତାର ମୋତେ ପାପ-ପଙ୍କୁ ହରି ।”

ହେଲାରୁ ମୋ ଗରବ ଗଞ୍ଜନ

ଅହଙ୍କାର-ମାନ ବିନାଶନ

 

ଶୁଭକ୍ଷଣେ ଦୟାମୟ ହରି

ଦେଲେ ପଥ ପରିଷ୍କାର କରି ।

ଛିଣ୍ତିଗଲା ସଂଶୟ ବନ୍ଧନ

ମୋହ ଧ୍ୱାନ୍ତ କଲା ପଳାୟନ ।

 

ଦେଖିଲି ପଙ୍କରେ ପଦ୍ମ ପରି

ପ୍ରାଣମଧ୍ୟେ ବିରାଜନ୍ତି ହରି ।

ଜ୍ଞାନ−ପ୍ରେମ−ପୁଣ୍ୟରୂପୀ ହରି

ଦିଅନ୍ତି ମୋ ପାପ ଧୌତ କରି ।

 

ସାରା ସୃଷ୍ଟି କରି ସଂଜୀବିତ,

ଅଛନ୍ତି ଅନନ୍ତ ବିରାଜିତ,

କିନ୍ତୁ ଲୀଳାମୟ ପ୍ରଭୁ ହରି

ନିଜ ରୂପ ନିଅନ୍ତି ସମ୍ବରି ।

 

 

“କାହିଁଗଲେ, କାହିଁ ଗଲେ ?” କହି

ପାଶେ ଥାଇଁ ଦେଖି ନ ପାରଇ;

ଘନ ବନେ କୁସୁମ ଯେସନ

ବିକଶିଣ ପ୍ରମୋଦେ କାନନ

 

ଭୃଙ୍ଗ ସେହି ମଧୁଗନ୍ଧେ ମତ୍ତ

ଧନ୍ଦି ହେଉଥାଏ ଇତସ୍ତତଃ ।

ସେହିପରି ଏ ମୋର ହୃଦୟ

ତାଙ୍କ ପାଇଁ ହୁଅଇ ଅଥୟ ।

 

ସେ ଏଡ଼େ ନିଷ୍ଠର ପ୍ରଭୁ ଯେବେ

ବ୍ୟାକୁଳିତ ପ୍ରାଣ କିପାଁ ତେବେ?

ନିରାଶେ ବିଷୟ−ବିଷ ପିଇ

ପାଞ୍ଚେ ପାଞ୍ଚ ଦିନ ଯିବି ଜୀଇଁ ।

 

ବିଷ ପାନେ ପ୍ରାଣ କଲବଲ

ଏ ସଂସାର ନ ଲାଗଇ ଭଲ ।

କିନ୍ତୁ ପ୍ରଭୁ କିପାଁଇ କେଜାଣି,

ନିଅନ୍ତି ଡୋରରେ ପୁଣି ଟାଣି !

 

 

ପାଇ ତାଙ୍କ ଦିବ୍ୟ ସୁଧା ସ୍ୱାଦ

ଭୁଲିଯାଏଁ ସକଳ ବିଷାଦ;

ପାସୋରଇ ସଂସାରର ଦୁଃଖ

ଦୁଃଖୀ ମୁହିଁ ଭୁଞ୍ଜେ କେତେ ସୁଖ ।

 

ଏହିପରି ଜୀବ ଆତ୍ମା ସଙ୍ଗେ

ଲୀଳା କରୁଛନ୍ତି ହରି ରଙ୍ଗେ ।

ତୀର୍ଥ ଯାତ୍ରା ଲାଗିଅଛି ମଦା

ସୁଭାବ−ନିର୍ମାଲ୍ୟ ଗଦା ଗଦା,

 

ଅଜ୍ଞାନ ମୁଁ ଧରି ହରି ନାମ

ବାହାରିଛି ଜଗନ୍ନାଥ ଧାମ ।

ଧର୍ମ ବଡ଼ ଦାଣ୍ଡେ ଯାହା ବିକା

ସାଉଣ୍ଟୁଛି “ନିର୍ମାଲ୍ୟ କଣିକା” ।

 

ନିର୍ମାଲ୍ୟରେ ନାହିଁତ ବାରଣ

କର ପ୍ରିୟ ଏହାକୁ ଗ୍ରହଣ ।

 

ଏକାକାର

ନରନାରୀ, ଗୃହୀ, ବୌରାଗୀ, ଶୂଦ୍ର, ବ୍ରାହ୍ମଣଭେଦ

ଘୁଞ୍ଚା ଘୁଞ୍ଚା ମୋର କବିତା ! ତୁଟୁ ଭ୍ରାନ୍ତି−ବିଚ୍ଛେଦ ।

ସକଳେ ଶିଖନ୍ତୁ ମହାନ ଶିକ୍ଷା ଧର୍ମ ଉଦାର-

ଘଟେ ଘଟେ ଆତ୍ମା ପ୍ରକାଶ ସାରା ବିଶ୍ୱସଂସାର ।

ବାଲୁକା ରେଣୁରୁ ବିଶାଳକାୟ ଜ୍ୟୋତିଷ୍କ ଯାଏ

ତୃଣ−କୀଟ−ବ୍ରହ୍ମ−ଚଣ୍ଡାଳ−ଜଡ଼−ପରାଣ−କାୟେ ।

ଗିରି−ବନ−ନଦୀ−ସାଗର−ଚନ୍ଦ୍ର−ତାରା−ସବିତା,

ଜଳେ, ସ୍ଥଳେ, ପ୍ରାଣେ, ଆକାଶେ ସେହି ଏକ ଦେବତା ।

ସେହି ଏକ କଥା ନାନାଦି ଋଷି ନାନା ବଚନେ

ପ୍ରକାଶି ଅଛନ୍ତି ନାନାଦି ଯୁଗେ ବିଶ୍ୱ ଭୁବନେ ।

ଜଡ଼, ଉଦ୍ଭିଦ ବା ପରାଣୀ କୀଟ ପଶୁ ବିହଙ୍ଗ

ଶିଶୁ, ବୃଦ୍ଧ, ଯୁବା, ଯୁବତୀ−ବିଶ୍ୱ ସେ ବ୍ରହ୍ମ−ଅଙ୍ଗ ।

ସେହି ଏକ ଆତ୍ମା ମାନସ−ଜଡ଼େ ଦେଦୀପ୍ୟମାନ,

ବିଭିନ୍ନ ଦେଖେ ଯେ, ଜଣେ ମୁଁ, ସେ ଯେ ମାୟାମଗନ,

ଭାଇ−ଭାଇ, ଭାଇ−ଭଗିନୀ ଆତ୍ମା−ଆତ୍ମାର ଭେଦ

ମିଥ୍ୟା ଭେଦବୁଦ୍ଧି କିଲାଗି ଘୃଣା ସ୍ପର୍ଶ ନିଷେଧ ?

 

ଚରମେ ସେ ସପ୍ତବିତସ୍ତି ସର୍ବେ ଲୋଡ଼ିବେ ଭାଇ

ଉଚ୍ଚ, ନୀଚ, ଧନୀ, ଦରିଦ୍ର ରକ୍ତେ ପ୍ରଭେଦ ନାହିଁ ।

ଏକ ପରାତ୍ମାରୁ ଜୀବାତ୍ମା ସ୍ଫୁରି ବହୁ ପ୍ରକାରେ

ଲୀଳା କରି ଶେଷେ ମିଶିବେ ସେହି ଏକ ଆତ୍ମାରେ ।

 

ସୃଷ୍ଟି, ସ୍ଥିତି, ଲୟ ତାଙ୍କର ଲୀଳା ବିଶ୍ୱବ୍ରହ୍ମାଣ୍ଡେ

ବହୁ ରୂପେ ବ୍ରହ୍ମ ଚାଲନ୍ତି ଆହା ଏ ବିଶ୍ୱଦାଣ୍ଡେ !

ମୋହ ଆବରଣ ଫେଡ଼ିଣ ଆରେ ମୋ ଭ୍ରାନ୍ତ ମନ

କର କର ବିଶ୍ୱବ୍ରହ୍ମାଣ୍ଡେ ଏକ ଆତ୍ମା ଦର୍ଶନ ।

 

କ୍ରିମୋନ୍ନତି

ଜଗତର ଇତିହାସେ ମାନବ−ସମାଜେ

କ୍ରମେ ନ୍ୟାୟ, ସତ୍ୟ, ସୁଖ, ବିଜୟ ବିରାଜେ,

ଥିଲେ ଯେ ମନୁଜେ କାଳେ ବନପଶୁ ପରି

ଅଛନ୍ତି ଉନ୍ନତ ହୋଇ ଦେବ ଶିଶୁ ସରି ।

 

ଗହ୍ୱର କୁଲାୟେ ପଶୁ ପକ୍ଷୀ ନିବସନ୍ତି,

ସୁନ୍ଦର ପ୍ରାସାଦେ ନରେ ବସତି କରନ୍ତି ।

ଜଡ଼ରୁ ଉଦ୍ଭିଦ, ପଶୁ, ପକ୍ଷୀ, ନରନାରୀ

କ୍ରମୋନ୍ନତି ନିୟମରେ ଅଛନ୍ତି ସଂଚାରି ।

 

ବିବର୍ତ୍ତନ ଶକତିରେ ହୋଇଣ ଚାଳିତ

ଅନନ୍ତ ଆଦର୍ଶ ପଥେ ସୃଷ୍ଟି ପ୍ରଧାବିତ ।

ଅସତ୍ୟ, ଅନ୍ୟାୟ, ଉପଧର୍ମ ଅତ୍ୟାଚାର

କରିଥିଲା ମନୁଜର ଗୋଷ୍ଠୀ ନାରଖାର ।

 

ପ୍ରାଣୀହତ୍ୟା ଜଡ଼−ନର−ପୂଜା ବିବାସିତ

ସତ୍ୟ, ଶିବ, ସୁନ୍ଦରର ପୂଜା ପ୍ରତିଷ୍ଠିତ !

 

ମୋ ଦେବତା

ବୁଦ୍ଧି−ଅଚ୍ଛା−ଭାବ−ବୃତ୍ତି−ଆଦର୍ଶ ରୂପରେ

ଅଛନ୍ତି ଦେବତା ନିଜେ ଏ ମମ ଅନ୍ତରେ ।

ଜ୍ଞାନ,କର୍ମ ପ୍ରୀତିରୂପେ ପ୍ରଭୁ ଭଗବାନ

ସତ୍ୟ, ଶିବ, ସୁନ୍ଦର ସେ ଦେବତା ମହାନ ।

 

ଜ୍ଞାନ, ପୁଣ୍ୟ, ପ୍ରେମ ସେହି ଅଦ୍ୱିତୀୟ ପ୍ରଭୁ

ନିର୍ମଳ, ପବିତ୍ର, ଶାନ୍ତ ଏକାଧାରେ ସବୁ,

ବିକଚ କୁସୁମ ବନ ବିହଙ୍ଗମ ତାନ

ମଧ୍ୟରେ ଆନନ୍ଦ ରୂପେ ପ୍ରଭୁ ଭଗବାନ ।

 

ସୁନୀଳ ଗଗନେ ସେହି ଭୂମା ବିଶ୍ୱପତି

ଅନନ୍ତ ବିଚିତ୍ରରୂପେ ପ୍ରକାଶିତ ଛନ୍ତି

ବିଚିତ୍ର, ପ୍ରକୃତି ଅବା ମାନବ ସଂସାର

କରିଛନ୍ତି ସେହି ଏକ ଆତ୍ମା, ଏକାକାର ।

 

ଏକ ଆତ୍ମା, ଏକ ଶୁଭଲୀଳା, ଏକ ଶକ୍ତି

ମୁକ୍ତ ହୁଅ ମନ କରି ପୂଜା ସ୍ତତି ଭକ୍ତି ।

 

ପ୍ରକୃତି ଓ ଆତ୍ମା

କହିଛନ୍ତି ସତ୍ୟଶିବ ସୁନ୍ଦର ମୋ ପ୍ରାଣେ

ତାଙ୍କ ଦତ୍ତ ଜ୍ଞାନେ ମୁହିଁ ତାଙ୍କ ସତ୍ତା ଜାଣେ ।

ଏହି ଯେ ମୋ’ ମନେ ଅଛି କର୍ମ, ଜ୍ଞାନ, ପ୍ରେମ

ଆଦର୍ଶ ରୂପରେ, ଅନ୍ତହୀନ ଯାର କ୍ଷେମ ।

 

ପବିତ୍ର ନିର୍ମଳ ମନେ ଧ୍ୟାନ କରେଁ ଯେବେ

ଜ୍ଞାନ ପୁଣ୍ୟ ପ୍ରେମରୂପେ ଦେଖେଁ ତାଙ୍କୁ ତେବେ ।

ଜ୍ଞାତାଜ୍ଞାତରୂପେ ଛନ୍ତି ସମଗ୍ର ସଂସାରେ

ନୋହିଲେ ମୁଁ ବିଷୟକୁ କେହ୍ନେ ଜାଣିପାରେ ?

 

ଯା’ ମଧ୍ୟେ ମୋ ଆତ୍ମା ନାହିଁ ମୁହିଁ ତା’ କେମନ୍ତ

ସମ୍ଭୋଗ କରିଣ ହୁଏଁ ତହିଁ ଅନୁରକ୍ତ ?

ସୁଦୂର ନକ୍ଷତ୍ରଲୋକ, ବିଚିତ୍ର ଭୁବନ,

ସତୀର ସତୀତ୍ୱ, ନବ ଶିଶୁର ଆନନ,

ପୁଣ୍ୟାତ୍ସା ଚିତ୍ତେ, ଯେ ସତ୍ୟ, ମଙ୍ଗଳ, ସୁନ୍ଦର

ମମ ଆତ୍ମା ମଧ୍ୟେ ସେହି ପ୍ରଭୁ ପରାତ୍ପର ।

 

ସ୍ୱର୍ଗଦୂତ

ସଂସାରେ ସଂସାରୀ ସଙ୍ଗେ ହୋଇଣ ଉନ୍ମତ୍ତ

ବିଷୟାବିଷର ପାନେ ମନ ମୋହଗତ

ଭାଳେଁ ବନ୍ଧୁବାନ୍ଧବ ବା ପ୍ରିୟପରିଜନ-

ସ୍କନ୍ଧେ ଭାର ନିକ୍ଷେପିଣ ଯାପିବି ଜୀବନ,

ସହିବେ ସେମାନେ ସର୍ବ ଆର୍ଦ୍ଦୋଳି ଜଞ୍ଜାଳ

ଏହିପରି ଏ ସଂସାରେ କଟିଯିବ କାଳ ।

 

କିନ୍ତୁ ପ୍ରଭୋ ! ପରୀକ୍ଷାରେ କରିଣ କ୍ଷେପଣ

ଦେଖାଅ କୁଟୁମ୍ବ ଆଦିଙ୍କର ଟାଣପଣ ।

ରୋଗ, ଦୁଃଖ, ବିପଦାଦି, ଦିବ୍ୟ, ଅନୁଚର

ଆସି କହି ଦେଇଯାନ୍ତି “ସକଳ ନଶ୍ୱର”,

ତୁହିନରେ ସନ୍ତରଣ ଗଗନ ପ୍ରସୂନ

ଚୟନେ ବଳାଇ ଚିତ୍ତ, ହୁଏଁ ଶେଷେ କ୍ଷୁନ୍ନ,

ହେ ସତ୍ୟ, ମଙ୍ଗଳମୟ, ଦିଅ ବଳ ଦାନ

ତୁମ୍ଭ ଇଚ୍ଛା ପୂର୍ଣ୍ଣ କରୁ ଏ କ୍ଷୁଦ୍ର ପରାଣ ।

 

ସ୍ୱାଧୀନତା

ହେ ଈଶ୍ୱର, ହର ମୋର ସର୍ବ ଅଧୀନତା

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା

ରିପୁ−ଦର୍ପ, ଜନ−ଭୟ ମୋର ଭୀରୁ ପ୍ରାଣେ

ପରିଣତ କରିଛନ୍ତି ଜୀବନ୍ତ ଶ୍ମଶାନେ,

ଭିତରେ ପ୍ରବୃତ୍ତିଚୟ କରନ୍ତି ଗର୍ଜନ

ଭୀରୁ ଦେଖି, ମୋତେ କରି ଘୋର ଆସ୍ଫାଳନ ।

ପ୍ରଶାନ୍ତ, ପବିତ୍ର ତୁମ୍ଭେ ବ୍ରହ୍ମାଣ୍ଡ ଗୋସାଇଁ

ନ ଜିଣିବ କିମ୍ପା ତାଙ୍କୁ ତବ ମୁଖ ଚାହିଁ ?

ବାହାରେ ଲୋକଙ୍କ ଭୟେ ଲୁଚି ବୁଲୁଥାଇ

ନିଶିଦିନ ପର ଆଜ୍ଞା ପାଳିଣ କିପାଇଁ ?

ସୁବୁଦ୍ଧିରେ ଯାହା ମୁହିଁ ଜାଣିଲି ନିର୍ଦ୍ଦୋଷ;

ସରଳ ଆଚାରେ ତା’ର ଅଛି କେଉଁ ଦୋଷ;

ବୁଝିଲି ଯା’ ସତ୍ୟ ତବ ପ୍ରବତ୍ତ ଆଲୋକେ

ନିର୍ଭାକ ଭାବରେ କିପାଁ ନ କହିବି ଲୋକେ ?

ହେ ଈଶ୍ୱର ! ହର ମୋର ଗର୍ବ ଅଭିମାନ

ଦିଅ ମୋତେ ସତ୍ୟସାର ଦିବ୍ୟ ତତ୍ତ୍ୱ ଜ୍ଞାନ ।

ବିବେକ ଆଲୋକେ ଯାହା ନ ବୁଝିବି ସତ୍ୟ

ଆନ ବୋଲେ ନ କରିବି କର୍ମେ ପରିଣତ ।

ଅଭ୍ରାନ୍ତ ଗୁରୁ ବା ଶାସ୍ତ୍ରେ ମୋର ଆସ୍ଥା ନାହିଁ,

ଦେଖାଅ ସତ୍‌ପଥ ନିଜେ ବ୍ରହ୍ମାଣ୍ଡ ଗୋସାଇଁ ।

ଏକୋଇ ମନ୍ଦିର, ଶତ ସେ ମନ୍ଦିର ପଥ

ଏକ ସିଦ୍ଧି ତୁମ୍ଭେ, ପଥ ସାଧନର ଶତ ।

କାହାକୁ କେବଣ ପଥେ ନିଅ ତୁମ୍ଭେ ଟାଣି

ଜ୍ଞାନ ଅଭିମାନୀ ତାହା ନ ପାରଇ ଜାଣି ।

ଭାଳେ ସେ ଏ ଜନ ମୋର କଥା ନ ଶୁଣିଲା

ପାପମାର୍ଗେ ଗମି ଘୋର ନରକେ ପଡ଼ିଲା ।

ଯାହା ଇଚ୍ଛା ଯାର ପ୍ରଭୁ ସେ ତା’ କହୁଥାଉ

ଆଶ୍ରା ଦିଅ ନ ଶୁଣିବି ବୃଥା ହାଉ ହାଉ ।

 

ଦାନ ଓ ଭିକ୍ଷା

ଅଛି ମୋ ପରାଣେ ପ୍ରୀତି ଅନନ୍ତ ଅକ୍ଷୟ

“କାହାକୁ ଦେବଇଁ ?” ଏହା ପୁଚ୍ଛର ହୃଦୟ,

ଆସ ହେ ନିଖିଳ ବିଶ୍ୱ ନିଅ ମମ ପ୍ରୀତି

ନ ହେବି କୃପଣ ଦାନେ ନି ବାରିବି ରୀତି ।

 

ନ ଲୋଡ଼ିବି ପ୍ରତିଦାନ; ନେଉଟା କାମନା

ଏ ମୋର ଅନ୍ତର ମୋତେ କରେ ତାହା ମନା ।

 

ପ୍ରତିଦାନେ ପ୍ରୀତି ? ସେ ତ ପଣ୍ୟ ବ୍ୟବସାୟ

ଉଦାର ନିର୍ମଳ ଭାବେ ଢାଳିବି ହୃଦୟ,

ନିର୍ଲ୍ଲୋଭ, ନିଷ୍କର୍ମ ହୋଇ ବାଣ୍ଟିବି ସକଳେ,

ନ ମାଗୁଣୁ ଭିକ୍ଷା କେହି ବାଣ୍ଟିବଇଁ ବଳେ ।

 

ପାଏଁ ଅବିଶ୍ରାନ୍ତ ଧାରେ ଯେଉଁ ବଦାନ୍ୟତା

ହୀନଭାବେ କିପାଁ ମୁଁରେ କରେ କୃପଣତା,

ଆସ ହେ ଭଉଣୀ, ଭାଇ, ନିଅ ସବୁ ଢାଳି

ଦାତା କର, ହେ ଈଶ୍ୱର ନ କର ଭିକାରୀ !

 

ଶିଷ୍ଟାଚାର ଓ ସ୍ୱାଧୀନତା

ବହୁ ଅତ୍ୟାଚାରେ ନରନାରୀ ଭୂଲୁଣ୍ଠିତ,

ଶିଷ୍ଟାଚାର ଅତ୍ୟାଚାରେ ଦ୍ୱିଗୁଣ ତାଡ଼ିତ,

ଦୁଃଖ−ଶୋକ−ଜରା−ରୋଗ−ଦରିଦ୍ରତା−ଭୟ−

ଅତ୍ୟାଚାରେ ନର ନିଶିବାସର ଅଥୟ ।

ତଦୁପରି ଶିଷ୍ଟାଚାର ଊର୍ଦ୍ଦ୍ୱସ୍ଫୀତ ଶିରେ

କହୁଅଛି ମନୁଷ୍ୟକୁ ଦୁର୍ବିନୀତ ଗିରେ,

“ପଥଘାଟ, ସଭା, ନିଜଗୃହ, ବନ୍ଧୁବାସେ

ନତ କର ଶିର ଭକ୍ତି, ସ୍ୱାର୍ଥ, ଲୋଭ, ତ୍ରାସେ ।”

ଭକତି ତ ମାନବର ହୃଦୟ ରତନ

ହାଟେ ବାଟେ ତା’ ଦର୍ଶନେ ଏତେ କିପାଁ ମନ ?

ଦାସତ୍ୱପ୍ରୟାସୀ ଯେହୁ ନିକୃଷ୍ଟ କୋୟରେ

ସେହି ପୁଣି ଭୂଲୁଣ୍ଠିତ ଉତ୍କୃଷ୍ଟ ପୟରେ ।

ଏକ ବ୍ରହୃ ସର୍ବ ନାରୀନରେ ପ୍ରକାଶିତ-

ଏ ଜ୍ଞାନ ତାମସ ଦର୍ପ ଧୂପେ ଆଚ୍ଛାଦିତ ।

ଦିଅ ନାହିଁ ମାଗ ନାହିଁ, ଅତି ଶିଷ୍ଟାଚାର

କର ଦେବୋଚିତ, ବୀରୋଚିତ, ବ୍ୟବହାର ।

 

ଦେବଶିଶୁ ମାନବର ସଦା ଭୂଲୁଣ୍ଠନ

ଖର୍ଦ୍ଧ କରେ ତା, ଦେବତ୍ୱ, ପ୍ରଭୁ ନାରାୟଣ ।

ଅନ୍ତର ଭକତି ସଦା କରନ୍ତି ଆଦର

ଆଦର୍ଶ ତାହାହିଁ ହେଉ ସର୍ବ ମାନବର ।

 

ଉଠୁ ଊର୍ଦ୍ଧ୍ୱେ ଶିର ସଦା ବିନମ୍ର ଗମ୍ଭୀର,

ଯେସନ ମଉନ ନମ୍ର ଶୃଙ୍ଗ ହିମାଦ୍ରିର ।

ଦେବ ଦେବ ପରଂବ୍ରହ୍ମ ସର୍ବ ବିଶ୍ୱପତି ।

ତୁମ୍ଭରି ସମ୍ମଖେ ପ୍ରଭୋ କରିବି ପ୍ରଣତି;

 

ତୁମ୍ଭ ଜ୍ଞାନ, ପ୍ରୀତି, ପୁଣ୍ୟ ଯହିଁ ପ୍ରକାଶିତ

ସେହିଠାରେ ନତ ହେଉ ସଦା ମମ ଚିତ୍ତ ।

ଜଡ଼, ତୃଣ, ପଶୁ, ମୂର୍ଖ, ପାପୀ, ଗର୍ବୀ ନର

ପାଶେ ନୋହୁ ନତ ମୋର ଶିର ହେ ଈଶ୍ୱର

 

ମଥୁରାମେଲାଣି

“ଯଦା ଯଦାହି ଧର୍ମ୍ମସ୍ୟ ଗ୍ଳାନିର୍ଭବତି ଭାରତ

ଅଭ୍ୟୁତ୍‌ଥାନ ମଧର୍ମ୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ”

-ଗୀତା

ସାଙ୍ଗ ମମ ବାଳ କ୍ରୀଡ଼ା, ଗୋପଧୂଳି−ଖେଳା

ଭାବାବେଶେ କ୍ରୀଡ଼ା ସାଥି ସହ ଦାଣ୍ଡେ ମେଳା ।

ଶେଷ ମୋର ଗୋପବାଳା ସସ୍ନେହ ମାଧୁରୀ

ଗୋପବନେ ନୃତ୍ୟଗୀତ, ଚରା ଗୋବାଛୁରୀ

 

ଗୋପିକା ନିଳୟୁଁ କ୍ଷୀର, ଲବଣୀ ହରଣ

କାଳିନ୍ଦୀ−ପୁଳିନେ ବଂଶୀ−ବାଦନ, ଗାୟନ

ସରିଅଛି ଯଶୋଦାଙ୍କ ପାଶେ ମୋର ଅଳି

କଠୋର ମଥୁରା ଯୁଦ୍ଧେ ଯିବି ଏବେ ଚଳି ।

 

ସାଙ୍ଗ ଶୈଶବର ଧୂଳିଖେଳ ଭାବାବେଶ

ସୁକଠିନ ଧର୍ମାହବେ କରିବି ପ୍ରବେଶ,

ଦୁର୍ଦ୍ଦାନ୍ତ ଅସୁରଙ୍କର ପ୍ରଭାବେ ବ୍ୟାକୁଳ

ଧରା; ଦୁଷ୍ଟତାପେ ତପ୍ତ ଶିଷ୍ଟ ସାଧୁକୁଳ ।

 

ଦୁର୍ବିନୀତ ଦୁର୍ଯ୍ୟାଧନ ପାପେ ଶିଷ୍ଟ ପାର୍ଥ

ରାଜ୍ୟଶ୍ରୀ−ବିଭ୍ରଷ୍ଟ ନିର୍ବାସିତ ହୃତ ସ୍ୱାର୍ଥ,

ନଷ୍ଟ ହେବେ ଦୁଷ୍ଟ ସର୍ବେ ଭୀଷଣ ସମରେ

ମେଲାଣି ମାଗଇ ତେଣୁ ମୁଁ ଗୋପ ନଗରେ ।

 

ଯୌବନ ମଧ୍ୟାହ୍ନ

ସରଳ, ସହଜ ମଧୁମୟ ଥିଲା ମୋ ବାଲ୍ୟ ଜୀବନ

ପ୍ରକୃତି ପଟରେ ଥିଲେ ପ୍ରକାଶିତ ଦେବ ନାରାୟଣ,

ଯାଉଥିଲା ଦିନ ନୃତ୍ୟ ଗୀତେ, ଧୂଳିଖେଳେ, ମିତ୍ରମେଳେ,

ପ୍ରବଚନ, ଉପନ୍ୟାସ, ଗୀତ ଶୁଣୁଥିଲି ରାତ୍ରି ବେଳେ ।

 

ମାତା, ପିତା, ଭ୍ରାତା, ଭଗ୍ନୀ, ସ୍ନେହେ ଥିଲା ପ୍ରାଣ ପ୍ରମୋଦିତ

କ୍ଷୁଦ୍ରଗ୍ରାମାକାଶଭାଲେ କ୍ଷୁଦ୍ର ରବି, ଶଶୀ ସମୁଦିତ

ହୋଇ କ୍ରୀଡ଼ୁଥିଲେ ମୋର ଖେଳସଙ୍ଗୀ ବାଲୁକା−ଆଗାରେ

ଭାଙ୍ଗୁଥିଲି, ଗଢ଼ିଥିଲି ମୁହିଁ ମୋର ଶୈଶବ ସଂସାରେ,

ପ୍ରଭାତ ଉଭେଇ କ୍ରମେ ମାଡ଼ି ଆସୁ ପ୍ରଦୀପ୍ତ ମଧ୍ୟାହ୍ନ

ଜୀବନ ସଂଗ୍ରାମ ବହ୍ନି ପ୍ରାଣ−ଖାଣ୍ଡବରେ ଘୋଟେ ଘନ ।

 

ପିତା, ମାତା ନିଜେ ଦେଲେ ନିଜ ନିଜ ଗୁରୁଭାର ଶିରେ

ଲୁଚିଗଲେ ପରଂବ୍ରହ୍ମ “ଦର୍ଶନ”ର ଦୁର୍ଭେଦ୍ୟ−ମନ୍ଦିରେ

ତଥାପି ସେ ଗରୁଡ଼ର ସୁରସେବ୍ୟ ସୁଧା ସୁପ୍ରସାଦ

କୋଟି ଗୁଣେ ଜିଣି ଶ୍ରେଷ୍ଠ ଶିଶୁସେବ୍ୟ ମାତୃସ୍ତନ୍ୟ−ସ୍ୱାଦ ।

 

କର୍ମ ଓ ବିଳାସ

ଛାଡ଼ ଛାଡ଼ ପ୍ରେୟସୀ ଗୋ ! ଫେଡ଼ ବାହୁଲତା

ଆଲିଙ୍ଗନେ ବାନ୍ଧି ଆଉ ନ ରଖ ଲଳିତା ।

ହୋଇଛି ଆକୁଳ ପ୍ରାଣ, ଯିବି କର୍ମାଙ୍ଗନେ

ନ ଲୁଚିବି ତୋ’ ଅଞ୍ଚଳ ତଳେ ଲୋ ଲଳନେ !

 

କୁସୁମ ତଳପେ ଶୋଇ ହୋଇଅଛି ଶ୍ରାନ୍ତ

ବିଷସମ ଲାଗୁଅଛି ତବ ନେତ୍ରପ୍ରାନ୍ତ ।

ଲୋଡ଼ା ନାହିଁ ତବ କୋଳେ କୋମଳ ଶୟନ

ଲୋଡ଼େ ପ୍ରାଣ ସୁକଠିନ ଶିଳାରେ ଭ୍ରମଣ ।

 

ନ ଲୋଡ଼େ ଅମଳ ଗଣ୍ଡେ ଚୁମ୍ବନ ତୋହର

ଲେଡ଼େଁ ଏବେ କର୍ମ−ବର୍ମ−ଅସି−ଧନୁଶର,

ନ ଲୋଡ଼େ ଚନ୍ଦନ ତୈଳ, ବେଣାଚେର, ଚୁଆ

ଲୋଡେଁ ଫରି, ବାଡ଼ି, ଛଡ଼ି, ଜମ୍ୱାଳ−ପଡ଼ିଆ ।

 

କର୍ମ୍ମାଙ୍ଗନେ ଯାଉ ଏ ମୋ ଦୁର୍ଲଭ ଜୀବନ

ନାରୀ−ଅଙ୍ଗେ ନ ଦେଖିବି ବିଳାସ−ସ୍ୱପନ ।

 

ସୁଖ ଓ କର୍ମ

ଭଜିଥିଲି ସୁଖନିଦ୍ରା ହୋଇ ଶ୍ରାନ୍ତମନ

ଦେଖିଲି ଅପୂର୍ବ କେତେ ମଧୁର ସ୍ୱପନ,

ସେ ସୁଖନିଦ୍ରାରେ ମନ ହେଲା ନିମଗନ

ଜାଗରଣେ ମୋ ପରାଣ ହେଲା ଛନ ଛନ,

କି ଅଭାବ ଅଛି ମୋର ? ଯାଉ ନାହିଁ ଜଣା

ଭେଦିଛି ବିଷାଦ ମମ ପ୍ରାଣ ପ୍ରତିକଣା,

ଜୀବନ ଅତୃପ୍ତିମୟ, ବିଷାଦ ଆଗାର

ଅଟେ କି ମଙ୍ଗଳ ବିଧି ବିଶ୍ୱ ବିଧାତାର ?

ଏ ପ୍ରାଣ ଉଦ୍ଦେଶ୍ୟ ଅଟେ ଅନନ୍ତ ବର୍ଦ୍ଧନ,

ଅଳପେ ସନ୍ତୁଷ୍ଟି ତୃପ୍ତି ମରଣ ଲକ୍ଷଣ ।

ନିବୃତ୍ତି ଆରାମେ ନାହିଁ ଚିରସ୍ଥାୟୀ ସୁଖ

ସୁଖକୁ ଲୋଡ଼ିଲେ ମିଳେ ସୁଖ−ସଖା ଦୁଃଖ,

ରେ ସୁଷୁପ୍ତ ପ୍ରାଣ ! ଯେବେ ଲୋଡ଼ୁ ସୁଖଭୋଗ

ସୁଖେ ପଦାଘାତ କରି ସାଧ କର୍ମ୍ମ−ଯୋଗ ।

 

ପ୍ରଣୟ ଓ କର୍ତ୍ତବ୍ୟ

ଏକ ଆଡ଼େ ସ୍ୱର୍ଣ୍ଣଦାମ କୁଞ୍ଚିତ ଚିକୁର

ବିଳାସ−ବଲୋଳ ନେତ୍ର ବଚନ ମଧୁର

ଈଷତ−ହସିତ−ଆସ୍ୟ, ସତୃଷ୍ଣ ଚାହାଣି

ମୋହ−ମଦାଳସା−ତନୁ, ଆଶାୟୀର ଠାଣି,

ତରଳ, ଚପଳ ବାଣୀ ବୁଣି ମୋହ ମାୟା,

ଭୁଲିବି କି ଦେଖି ଏହି ଅସାରର ଛାୟା ?

ଆନ୍ୟଆଡ଼େ ରୁକ୍ଷଦେହ, ରୁକ୍ଷ ହାସ୍ୟ କେଶ

ସୁସ୍ଥିର, ସୁତୀବ୍ର ଦୃଷ୍ଟି ଜ୍ଞାନ କର୍ମାବେଶ,

ଅତୀନ୍ଦ୍ରିୟ ଧନେ ଧନୀ ମୋହ ବିବର୍ଜିତ

ମଙ୍ଗଳ ବିଶୁଦ୍ଧ ଭାଷ, ଆଦର୍ଶେ କଳିତ ।

ଏକ ଆଡ଼େ ଧରଣୀର ମୋହନ ବିଳାସ

ଅନ୍ୟଆଡ଼େ ଅକଳନ୍ତା ତ୍ରିଦିବ ପ୍ରୟାସ,

ବିଳାସ ମଦିରା ପ୍ରଭୁ; ନ ଲୋଡ଼ଇ ଆଉ

ଗମ୍ଭୀର ସେ ରୁକ୍ଷ ମୂର୍ତ୍ତି ପ୍ରାଣେ ପୂଜାପାଉ ।

 

କବିତା ଓ କର୍ତ୍ତବ୍ୟ

ରଖି ଯେବେ ଶିର ମମ ପ୍ରିୟତମା କୋଳେ

ସୁଖସ୍ୱପ୍ନ ଦେଖୁଥାଏଁ ପ୍ରେମାବେଶ ଭୋଳେ

ଗଗନ କନକ ଗଡ଼ୁଁ କ୍ଷେପଇ ନୟନ

ଧୂଳିଧୂସରିତ ନର ଚିର−ସମାଚ୍ଛନ୍ନ

କହେ, “ଭାଇ ଦିଅ ଯେବେ ଅଛି ଅନ୍ନଜଳ

ଉପବାସେ ପ୍ରାଣ ମୋର ହେଉଛି ବିକଳ”;

କଳ୍ପନା−ନନ୍ଦନ−ବନୁଁ ପ୍ରସୂନ ଚୟନ

ବେଳେ, ଯେବେ ଦୁଃସ୍ଥ ପାନ୍ଥ କରେ ସମ୍ବୋଧନ

“ଦୂରାଗତ ପ୍ରବାସୀ ମୁଁ, କହି ଦିଅ ଭାଇ,

ହରାଇଛି ପଥ, କେଣେ ଯିବି ଜାଣେ ନାହିଁ”;

ଆରୋହି ଭଦ୍ରତା−ଗର୍ବ−ଅହମିକା−ରଥେ

ପରିଚ୍ଛନ୍ନ ହୋଇ ଯେବେ ଯାଉଥାଏଁ ପଥେ

ଜନମଧ୍ୟେ ନିଃଶହାୟ ବୃଦ୍ଧ ଭାରବାହୀ

କହେ, “ମୋ ମୁଣ୍ଡକୁ ବୋଝ ଦେଇଯାଅ ଭାଇ”;

ପ୍ରଭୁହେ ! କଲ୍ୟାଣ କର, କରେ ଯେହ୍ନେ ତାହା

ବିସୋରି ମୁହୂର୍ତ୍ତେ ମମ କଳପନା ମାୟା ।

 

ନିନ୍ଦୁକ ଓ କବି

ହୃଦବୃନ୍ତେ ମୋର ଭାବ−କଢ଼ିମାନ

ଫୁଟି ଉଠେ ବେଳେ ବେଳେ,

ବେଳ ବିଡ଼ି ମୁହିଁ ତୋଳି ନ ରଖିଲେ

ଶୁଖି ପଡ଼ିଯାଏ ତଳେ ।

ପଡ଼ିଗଲେ ତାକୁ ନ ଦେଖନ୍ତି କେହି

ନିର୍ଜନେ ଝାଉଁଳି ଯାଏ,

ତୋଳି ରଖି ବାଣ୍ଟେ ଭାଇ ଭଉଣୀଙ୍କୁ

ସମଧର୍ମା ସ୍ନେହେ ଗାଏ ।

କେହି କହେ ଭଲ, କେହି ମନ୍ଦ କହେ,

ଭିନ୍ନ ରୁଚି ଏ ଭୁବନ,

ଏ କଥା ନ ବୁଝି ନିନ୍ଦା ଶୁଣି କିପାଁ

ହୁଏ ମୁଁ ନିରାଶ ମନ ?

କେହି ପ୍ରଶଂସିବେ, କେହିବା ନିନ୍ଦିବେ

ଦୁହେଁ ତ ଭଉଣୀ ଭାଇ,

ଉଭୟଙ୍କ ସହ ଅଚ୍ଛେଦ୍ୟ ସମ୍ବନ୍ଧ

କିପାଁ ମନ ବୁଝେ ନାହିଁ ।

ଜଗତବାସୀଙ୍କ ମନୁଷ୍ୟତା ସ୍ଫୁର୍ତ୍ତି

ଏ ମୋ କବିତାର ଲକ୍ଷ୍ୟ,

ଯେହୁ ଭଲ କହେ, ଯେବା ମନ୍ଦ କହେ

ବେନିଙ୍କ ରୁଚି ପାର୍ଥକ୍ୟ ।

 

ମୋ କବିତା ପାଠେ ବିକଶିତ ହୋଇ

ନିଜ ଲକ୍ଷ୍ୟ ଆଡ଼େ ଧାଏଁ

ବିଶେଷ ନିନ୍ଦୁକଠାରୁ ନିଜ ଦୋଷ

ତ୍ୟାଗର ସୁଯୋଗ ପାଏଁ ।

 

ନିନ୍ଦୁକ ବିହୀନେ ମନୁଷ୍ୟତା ସ୍ଫୁର୍ତ୍ତ

ସଂସାରେ ହୁଅଇ ନାହିଁ,

ଉପକାରୀ ଲିମ୍ବ ପରି ନିନ୍ଦା, ତେଣୁ

ପ୍ରଣମେ ନିନ୍ଦୁକ ଭାଇ ।

 

ଋତୁରାଜ ଦୂତ ପିକ ଗାୟକର

ସମାନ ପ୍ରଶଂସାକାରୀ

ବିପଦ ମରଣ କ୍ରୂର ବାର୍ତ୍ତାହର

କାକ ସମ ନିନ୍ଦାକାରୀ ।

 

ପ୍ରିୟରତ୍ନ

ପାଇଛି ପ୍ରିୟରତ୍ନ, କାହିଁ ରଖିବି ତାକୁ

ଚୋର ତସ୍କରେ ହୁଏ ଭୟ,

ବାସର ତ୍ରିଯାମାରେ ଘରେ ଅବା ବାହାରେ

ତାହାରି ଠାରେ ମୋର ଲୟ ।

କିଏ ଚୋରାଇ ନେବ କାଳେ ମୋ ଜୀବ ଯିବ

କେହ୍ନେ ବଞ୍ଚିବି ତାହା ବିନା,

କାହା କୁଚକ୍ରେ ପଡ଼ି ବିଗିଡ଼ିଯିବ କାଳେ

ମୋ ପ୍ରାଣ ଉଡ଼ିଯିବ ସିନା !

ପାଶରେ ଥାଏଁ ସୁଖେ ପାଖରୁ ଗଲେ ଟିକେ

ମନ ମୋ ହୁଏ ଛନଛନ,

ନେତ୍ର ଅନ୍ତରାଳରେ ହୁଏ ମୁଁ ହାଇଁପାଇଁ

ଦେଖିଲେ ଭଲ ଥାଏ ମନ ।

ବିଶ୍ୱାସୀ ଜିମାରେ ବି ଚିତ୍ତ ମୋ ଦକଦକ

କଅଣ ହୋଇଯିବ ପରା,

କଳ୍ପନା ନୟନେ ହିଁ ସେ ରତନ ଅଭାବେ

ଉଆଁସ ଘୋଟିଯାଏ ଧରା ।

ଅତି ସନ୍ତର୍ପଣରେ ସେ ରତ୍ନ ଲାଗି ମୁଁ ଯେ

ସଭିଙ୍କି ଡରିହରି ଚଳେ,

ହାତେ ମାପି ଚାଖଣ୍ଡେ ଚାଲେ ମୁଁ ବିଶ୍ୱଦାଣ୍ଡେ

ସନ୍ଦେହ କରିଣ ସକଳେ ।

 

ଏତେ ସଂଶୟ ସ୍ୱାମୀ ସହି ନ ପାରିବଇଁ

ସନ୍ଦେହ ନାମ ହିଁ ନରକ,

କାହାଠିଁ ରଖିଦେଲେ ଏ ମୋ ପ୍ରିୟ ରତନ

ଚାଲିଯିବ ଏ ଦକଦକ ?

 

ସଭିଙ୍କର ଅଭାବ ଅଛଇ ଏ ସଂସାରେ

ଅଛି ସଭିଙ୍କ ଲୋଭ ମୋହ,

ସାଧୁ ସଜ୍ଜନଙ୍କର ଷଡ଼ରିପୁସମୂହ

କରନ୍ତି ସମୟେ ବିଦ୍ରୋହ ।

 

ପବିତ୍ର ନିର୍ବିକାର ବିଶ୍ୱତଶ୍ଚକ୍ଷୁ ପ୍ରଭୁ

ତୁମ୍ଭରି ପ୍ରଦତ୍ତ ରତନ

ରଖିଲି ତୁମ୍ଭ ପାଶେ ଯା ଇଚ୍ଛା କର ତାହା

ଯାପିବି ନିଶ୍ଚିନ୍ତ ଜୀବନ ।

 

ମୋହାନ୍ତେ

ଥିଲି ମୁହିଁ ନିଦ୍ରା ନିମଗନ

ଦେଖୁଥିଲି କେବଣ ସ୍ୱପନ !

କଟାକ୍ଷେ ମୋ ନିଦ୍ରାଗଲା ଭାଙ୍ଗି

ସେ ସ୍ୱପନ ଅଛି ପ୍ରାଣେ ଲାଗି ।

ଦେଖୁଥିଲି କେସନ ସ୍ୱପନ-

ନିଦ୍ରାଭଙ୍ଗେ ହେଲି ବିସ୍ମରଣ,

କିନ୍ତୁ ତା’ର ଅସ୍ପଷ୍ଟ ଆଭାସ

କରିଅଛି ସିକ୍ତ ହୃଦଦେଶ ।

ଅସ୍ପଷ୍ଟ ବିଷାଦମୟ କାୟା

ପ୍ରାଣପରେ ପକାଇଛି ଛାୟା,

ବିଷାଦର ବନ୍ୟା ସୁପ୍ରବଳ

ଅନ୍ତରାତ୍ମା ହେଉଛି ବିକଳ ।

ଉଠୁଅଛି ପ୍ରାଣୁଁ ହାହାକାର

ନ ଜାଣଇ ହେତୁ ମୁଁ ତାହାର

ବିଗତ ଜୀବନ ଦୁଃଖରାଶି

ଆସୁଛି କିସ୍ମୃତି−ସ୍ରୋତେ ଭାସି ?

ଦୂରସ୍ଥିତ ବିରହର ବଂଶୀ−

ସ୍ୱନ ପ୍ରାଣ ଅଛି କି ସ୍ପରଶି ?

ଅବା ପ୍ରାଣ ଗଭୀର ପ୍ରଦେଶ,

ତୀକ୍ଷ୍ଣ ଶଲ୍ୟ କରିଛି ପ୍ରବେଶ,

ଯାଉଛି ରୁଧିର ଧାର ବହି

ଯାତନା ମୁଁ ନ ପାରଇ ସହି ।

 

ଏତେବେଳେ ହେଲା ମୋ ସ୍ମରଣ

ନିଦାରୁଣ ବିଷାଦ କାରଣ ।

ପଢ଼ୁଥିଲେ ପ୍ରଣୟ ଚରିତ

ସୁଧାରସେ ଆର୍ଦ୍ର ଥିଲା ଚିତ୍ତ ।

 

ଶେଷେ “ବିଷକୁମ୍ଭ ପୟୋମୁଖ”

ଦେଖି ପ୍ରାଣେ ନିଦାରୁଣ ଦୁଃଖ ।

ଜଣକର ବିମଳ ପ୍ରଣୟ

ଆନ ଅବିଶ୍ୱାସ ବିଷମୟ ।

 

ପଢ଼ି ପଢ଼ି କୃପା−ହାହାକାରେ

ହୋଇଥିଲି ନିମଗ୍ନ ନିଦ୍ରାରେ ।

ବିଷାଦ କାହାଣୀ ଭଗବାନ

ଶୁଣାଇଲ ଦୁର୍ବଳ ପରାଣ

ସହିବଇଁ ଭାର ବିଷାଦର

ବଳଦାତା ! ବଳ ଦାନ କର ।

 

କ୍ଷମା

ଗଲାଣି ତ ଗଲା କଥା ପ୍ରାଣେ ତା’ ଦାରୁଣ ବ୍ୟଥା

ପୋଡ଼ିଯାଏ ବେଦନାରେ ଅଙ୍ଗ,

ନ ଜାଣି ଖସିଲା ଗୋଡ଼ ଅନ୍ତରେ ଯାତନା ବଡ଼

ଘୃଣାରେ କି ତେଜିବି ତା ସଙ୍ଗ ?

ଅସତର୍କେ ଯେବେ ତୋର ହୋଇଗଲା ଥରେ ଭ୍ରମ

କାହାର ଏ ଦିଶେ ନାହିଁ ଭ୍ରାନ୍ତି ?

ଆସ ତୋ ତପତ ପ୍ରାଣେ ସିଞ୍ଚବି କରୁଣା ବାରି

ଶାନେ ରାଜିବ ସୁଖ ଶାନ୍ତି ।

ଏ ଭବ ଗହନ ବନେ ବିପନ୍ନ ପଥିକ ରୁଗ୍ଣ

ଭେଟିଣ ପୁଚ୍ଛଇ ଯେବେ ପଥ

ତେଜି ଘୃଣା ଧରି ହସ୍ତ କଢ଼ାଇ ନେବଇଁ ପଥ

ନୋହିଲେ ସେ ପ୍ରାଣୀ ହେବ ହତ ।

ହାତ ବୁଲାଇଣ ଦେହେ ଘୁଞ୍ଚାଇବି ରୋଗକଷ୍ଟ

କାଳେ ରୋଗୀ ଲଭିବ ଆରୋଗ୍ୟ,

ମାନସିକ ବ୍ୟାଧି ତାର ତୁଟି ଆତ୍ମା ହେବ ସାର

ହେବ ସେ ପବିତ୍ର ଦେବଯୋଗ୍ୟ ।

କରିଛି ସେ ମହା ଭୁଲ ତେଜ ତେଜ ରୋଷଘୃଣା

ପୀଡ଼ିତର ଔଷଧି ପ୍ରହାର ।

ଅଜ୍ଞାତେ ସେ ମୁଗ୍ଧାବାଳା ଅମୃତେ ଗରଳ ଦେଲା

ମୋହ ମାୟା ନାହିଁରେ କାହାର

ବିଶ୍ୱାସଘାତିନୀ ମୂଢ଼ା ! ରଖ ରଖ ଖୋଳଖଣ୍ଡା

ଭାଳ ଦଣ୍ଡେ କରିଛି ସେ କିବା

 

ତୁମ୍ଭ ହାଳି ନିଜ ସୁଖ ମଣିଛି ସେ ପ୍ରିୟତର

ନାହିଁ ଆଉ ପ୍ରିୟ ତୁମ୍ଭ ସିବା ।

ଦେଖ ଭ୍ରାନ୍ତ ପ୍ରାଣେ ତାର ପଙ୍କେ ପଦ୍ମପୁଷ୍ପପ୍ରାୟ

ବିରାଜଇ ଦେବତ୍ୱ ମହାନ,

କଣିକାଏ ବିଭୁ କୃପା କ୍ଷଣ ତୀବ୍ର ଅନୁତାପ

ସ୍ୱର୍ଗେ ତାକୁ କରିବ ଉତ୍‌ଥାନ ।

 

“Nothing so defileth and entangleth the heart of man as the impure love of things created.”

Ghrist

 

ପବିତ୍ରତା

ଶୁଣ ନାରୀ ! କହେଁ ଆଜି ହୃଦୟବାରତା ମମ

ଅନ୍ତରର ଦୁଃସହ ଯାତନା,

ନ କହିବି କଥାରେ ତା’ କହିବ ବ୍ରୀଡ଼ିତନେତ୍ର

ଘଣାଭରେ ଗୃହେ ପଳାଅନା ।

ଯେତେବେଳେ ଯାଅ ସତି ! ଦେଖିଲା ମାତ୍ରକେ ମୋତେ

ପ୍ରାଣେ ମୋର ତୀକ୍ଷ୍ଣ ଶର ବାଜେ,

ମୋ ଚରିତ୍ରେ ଦୋଷାରୋପ କର; ମୁଁ ଅପୂତ ନେତ୍ର-

ଭାବି ମ୍ରିୟମାଣ ହୁଏଁ ଲାଜେ ।

କେଉଁଦିନ ଆଗୋ ସତି, ହେବି ସୁପବିତ୍ର ଚିତ୍ତ

ପ୍ରାଣଶୁଦ୍ଧି ବାହାରିବ ନେତ୍ରେ

ଦେଖିଲେହେଁ ସତୀ ସାଧ୍ୱୀ ନିର୍ଭୟେ ନିଃସଙ୍କ ମନେ

ଆସି ଠିଆ ହେବେ ସମକ୍ଷେତ୍ରେ ।

କି ଅପୂତ ଭାବ ମମ ଅଛି ଏ ନୟନକୋଣେ

ନେତ୍ରଭଙ୍ଗୀ ଭାଷାରୁ ପ୍ରବଳ,

ହୃଦ ଅନ୍ତ−ସ୍ଥଳ−ଭାବ ମରଦେହ ଅତିକ୍ରମି

ଠୁଳେ ନେତ୍ରେ ଦିଶେ ଜଳ ଜଳ ।

କହିଲେହେଁ ଭଳ କଥା,କଲେହେଁ ନାନା ବାହାନା

ହୃଦେ ପାପକୀଟ କିଲିବିଲି

ଚାହିଁଲେ ମହିଳା ମୁଖେ ସତୀ ତା’ ବୁଝେ ନୟନେ

ଲିଚେ, ମନେ ହସି ଖିଲି ଖିଲି ।

 

ରେ ନିର୍ଲ୍ଲଜ ପ୍ରାଣ ମମ ! ନ ସହ ଏ ଅପମାନ

ଶୁଦ୍ଧ କର ଶୁଦ୍ଧ କର ମନେ,

ପବିତ୍ର ସୁନ୍ଦର ହେଲେ ଅନ୍ତରତମ ପ୍ରଦେଶ

ଛାୟା ତାର ପଡ଼ିବ ନୟନେ ।

 

ସେତେବେଳେ ଜାଣ ନିଶ୍ଚେ ଗଲେ ତୁ ସତୀସମାଜେ

ଦେଖି ସେ ନ ପଳାଇବେ ଘର,

ପ୍ରକୃତ ମନୁଷ୍ୟ ବୋଲି-ପୂତମନା ଭ୍ରାତା ବୋଲି

କରିବେ ରେ ସେନେହ ଆଦର ।

 

ପବିତ୍ର ସୁନ୍ଦର ବିଭୁ ପବିତ୍ର ବିଶ୍ୱସଂସାର

ନୀଳ ନଭ ସୁନ୍ଦର ପବିତ୍ର,

ଢଳଢ଼ଳ ନୀଲନୀର ନିର୍ମଳ ସୁନ୍ଦର ପୂତ

ବୃକ୍ଷଲତା ପବିତ୍ର, ବିଚିତ୍ର ।

 

 

ତହୁଁ ବଳି ସତୀ ପ୍ରାଣ ସୁନ୍ଦର ପ୍ରବିତ୍ରତର

ଛୁଅଁନା ଛୁଅଁନା ପାପ ଚକ୍ଷେ,

ହୃଦୟ ପବିତ୍ର କରି ପବିତ୍ର ନୟନ ଧରି

ବୁଲ ଏହି ଧରିତ୍ରୀର ବକ୍ଷେ ।

 

ପବିତ୍ର ସୁନ୍ଦର ହରି ! ଏ କଳୁଷରାଶି ହର

ମନ ମୋର ହେଉ ସୁପବିତ୍ର,

ନୟନ ବିଭାରେ ମୋର ଅନ୍ତରତମ ପ୍ରଦେଶୁଁ

ପ୍ରତିଫଳୁ ସୁନ୍ଦର ଚରିତ୍ର ।

 

ଉତ୍କଳ−ଭାରତୀ

ଉତ୍କଳ−ଭାରତୀ ! ତବ ନିକୁଞ୍ଜେ ନିଭୃତ

କଲେ କୁହରିତ କେତେ କବି ପରଭୃତ ।

ପହିଲେ ଅଯୋଧ୍ୟା ଲଙ୍କା ବିଷମ−ସମର

ଦୁଯେ ମହାଘୋରାହବ କୁରୁ−ପାଣ୍ଡବର,

ରାମ ଲକ୍ଷ୍ମଣଙ୍କ ଶୌର୍ଯ୍ୟ−ସଂଯମ−ସଙ୍ଗୀତ

କୌଶଲ୍ୟା−ସୁମିତ୍ରା−ସୀତା−ସତୀତ୍ୱ−ଚରିତ,

ଭୀଷ୍ମ−ଦ୍ରୋଣାର୍ଜ୍ଜୁନ−ଅଭିମନ୍ୟୁ−ବୀର୍ଯ୍ୟ କଥା

କୃଷ୍ଣ−ଯୁଧିଷ୍ଠିର ନ୍ୟାୟ ସତ୍ୟର ବାରତା,

ନଳ−ଦମୟନ୍ତୀ, ସତ୍ୟବାନ−ସାବିତ୍ରୀର,

ହର−ଚୌରୀ ବିଷ୍ଣ−ଲକ୍ଷ୍ନୀ ସୁମଧୁର ଗିର,

ଦେବାସୁର−ଯକ୍ଷ−ନାଗ−ଗନ୍ଧର୍ବ−କିନ୍ନର

ଦେବର୍ଷି−ବ୍ରହ୍ମର୍ଷି−ରାଜଋଷି ଚରିତର

ଗାଇଛନ୍ତି କେତେ କବି କଳକଣ୍ଠ ପିକ;

ଅଛି ତବ ନିକୁଞ୍ଜରେ ବିଭବ ଅଧିକ-

ବେଦାନ୍ତର ବ୍ରହ୍ମତତ୍ତ୍ୱ ଆତ୍ମା ପରମାତ୍ମା

ପ୍ରଚାରି ଅଛନ୍ତି ପଞ୍ଚସଖାଦି ସହାତ୍ମା,

କର୍ମଗାଥା ରାମାୟଣ ମହାଭାରତର

ଜୀବାତ୍ମା ପରମାତ୍ମା ଜ୍ଞାନ ଷଡ଼ ଦର୍ଶନର,

ଅଷ୍ଟ୍ରାଦଶ ପୁରାଣର ଗଭୀର ଭକତି−

ଭଣ୍ଡାରେ ସଞ୍ଜିତ ତବ ଉତ୍କଳ−ଭାରତ !

ବୌଦ୍ଧଧର୍ମ−ସାମ୍ୟ−ମୈତ୍ରୀ−ପ୍ରାଣୀହିତ−ଗୀତ

ତୋ’ ଶ୍ୟାମଳ କୁଞ୍ଜେ ମାତଃ ! କରେ ନିନାଦିତ

“ମହିମାଧର୍ମ”ର ଏକେଶ୍ୱରବାଦାମୃତ

ପଞ୍ଚସଖା ଭକ୍ତିଗୀତେ ତେ ନିକୁଞ୍ଜ ପୂତ ।

କିନ୍ତୁ କାମ−ଗୀତେ ମତ୍ତ ଉତ୍କଳ−ସନ୍ତାନ

ଆଦିରସ ମଦିରାକୁ କରୁଛନ୍ତ ପାନ ।

ଶୁଭୁଅଛି ମାତଃ, ସୁମଧୁର ବଂଶୀ ସ୍ୱନ

ବିଳାସୀ−ରସିକଜନ−ମନବିମୋହନ ।

କେବେ ମା ଶୁଭିବ ଦେବପୂଜା ଶଙ୍ଖ ସ୍ୱନ,

ଭେରୀ ଦୁନ୍ଦୁଭିର ଘୋର ଗମ୍ଭୀର ଗର୍ଜନ ?

ଶିଶୁ ସମ ବାଲ୍ୟୋଚିତ ସଙ୍ଗୀତେ ମୋହିତ

କେବେ ହେବୁ ମହାରାଣୀ ମୁକୁଟମଣ୍ଡିତ,

ଉନ୍ନତ−ସାହିତ୍ୟ ସହ ବସି ଏକାସନେ

ବୀରମାତା ସମ ହାସ୍ୟମୁଖେ ହୃଷ୍ଟମନେ ?

ଯେହ୍ନେ ଦ୍ରୋଣଗୁରୁଠାରୁ ଅସ୍ତ୍ରଶସ୍ତ୍ର ଶିକ୍ଷା

ସାଙ୍ଗ କରି ଦେଲେ ଶୌର୍ଯ୍ୟବୀର୍ଯ୍ୟର ପରୀକ୍ଷା

କୌରବ ପାଣ୍ଡବଗଣ ଅପୂର୍ବ, ଅଦ୍ଭୁତ

ବୀରମାତା କଲେ ନେତ୍ରୁଁ ଆନନ୍ଦାଶ୍ରୁଚ୍ୟୁତ;

କେବେ ଦେବେ ତବ କୋଟି ନିଦ୍ରିତ ସନ୍ତାନ

ସେହିପରି ଜନନୀ ଗୋ ! ପରୀକ୍ଷା ପ୍ରଦାନ ?

ଅଛି ତୋ ନିସର୍ଗ−ଶକ୍ତି ନୋହୁ ତୁହି ଦୀନା

କେବଳ ପ୍ରତିଭାଶାଳୀ ସୁପୁତ୍ରବିହୀନା ।

କିନ୍ତୁ ମାତଃ ! ସବୁଦିନେ ଥିବୁ କି ଏପରି

ନୋହିବୁ କି ବୀରକବିମାତା ରାଣୀ ସରି ?

ଉଠ ହେ ଉତ୍କଳବାସି ! ପାହିଛି ରଜନୀ

ନିଖିଳ ଜଗତୁଁ ଆସି ଅଛଇ ବରଣୀ,

ପ୍ରାଚ୍ୟ−ପ୍ରତୀଚ୍ୟର ଏହି ସମନ୍ୱୟସ୍ଥଳେ

ନବସାହିତ୍ୟର ଜନ୍ମ ହେଉ ଏ ଉତ୍କଳେ,

ମହାକାବ୍ୟ ଇତିହାସ, ବିଜ୍ଞାନ ଦର୍ଶନ

କରୁ ତବ ଚାରୁ ତନୁ ମାତଃ ! ବିମଣ୍ଡନ ।

ବୁଝନ୍ତୁ ମା ଉତ୍କଳୀୟେ ଜାତୀୟ−ଜୀବନ

ଜାତୀୟ ସାହିତ୍ୟ ବିନା ନ ହୁଏ ଗଠନ ।

ଜ୍ଞାନୀ ଦେଉ ଜ୍ଞାନ, ଭକ୍ରଂ ଭକ୍ତି, ଧନୀ ଧନ

କରନ୍ତୁ ଉତ୍କଳବାସୀ ସାହିତ୍ୟ ଗଠନ ।

“ଜ୍ଞାନ ପ୍ରୀତି, ଧର୍ମ ସଙ୍ଗେ ବିଷୟ ଉନ୍ନତି

ପ୍ରକୃତ ଉନ୍ନତି” ଏହା ଘୋଷ ମା ଭାରତି !

 

ନବଯୁଗ

ନବଯୁଗେ ନବ ସାଜେ ସାଜି ବୀରବେଶେ

ନବଧ୍ୱଜା ଧରି କରେ ଉନ୍ନତି ଉଦ୍ଦେଶେ

ସର୍ବ ଧରା ଅଧିବାସୀ ନବ ତାନେ ଗାଇ

ନବୀନ ଉତ୍ସାହେ ମାତି ଦେଖ ଯାନ୍ତି ଧାଇଁ

ହେ ଉତ୍କଳ ! କିପାଁ ତୁହି ଧୂଳି−ଧୂସରିତ,

ନବୀନ ପ୍ରଭାତେ କିପାଁ ମୁକବତ ସ୍ଥିତ ?

ନାହିଁ କିଛି ନବଗୀତି କଣ୍ଠେ ହେ ପତିତି !

ନବ ଜ୍ୟୋତି ହେଉନାହିଁ ନେତ୍ରେ ଉଦ୍ଭାସିତ ?

ତୋ ଚରଣ ଚୁମ୍ବି ଗାଏ ଅସୀମ ସାଗର

କଳ କଳ ତାନେ ନଦୀ ବହେ ତୋ ବକ୍ଷର,

ଲତାଦୋଳାସନେ ବସି ବନଦେବୀଗଣ

ଗିରିବନେ ଗାଆନ୍ତି ରେ ବିଚିତ୍ର ଗାୟନ,

ଦେଖୁନାହୁଁ ହା ନାସ୍ତିକ ! ସୁନ୍ଦର ମହାନ

ତେଣୁ ତୋ ନୀରବ କଣ୍ଠୁନ ଉଠଇ ତାନ ।

ସର୍ବ ସୃଷ୍ଟି ପ୍ରାଣରୂପୀ ଯେଉଁ ଭଗବାନ

ଖଣ୍ଡ ଖଣ୍ଡ କରି ତାଙ୍କୁ ଦେଖୁ ଆନ ଆନ,

ନୀତିରୁ ଧର୍ମକୁ କରି ବିଚ୍ଛିନ୍ନ ବିଭିନ୍ନ

ବୃଥା ବାହ୍ୟ କ୍ରିୟାକାଣ୍ଡେ ରତ ନିଶିଦିନ ।

ମାନବ ଆତ୍ମାର ସାର ସ୍ୱାଧୀନତା ଧନ

ଗୁରୁ ପୁରୋହିତ କରିଅଛନ୍ତି ହରଣ,

ସହସ୍ର ବର୍ଷର କୁସଂସ୍କାର ଏକତ୍ରିତ

ହୋଇ ଶିରେ, କରେ ତୋତେ ନତ, ଭୂଲୁଣ୍ଠିତ ।

ଲମ୍ପଟତା, କପଟତା, ମିଥ୍ୟା, ଲୋକଭୟ

ଅନ୍ତଃସାର କରିଅଛି ତୋହର ହୃଦୟ ।

ପ୍ରକୃତି, ସମାଜ ପୁଣି ମାନବର ଆତ୍ମା

ମଧ୍ୟେ ପ୍ରକାଶିତ ଏକ ଅଖଣ୍ଡ ପରାତ୍ମା ।

ଜାତିଭେଦ ଜଡ଼ପୂଜା କର୍ତ୍ତବ୍ୟହୀନତା

ଅପଭୟ ତେଜି, ପୂଜ ମହାନ ଦେବତା ।

 

ନବବର୍ଷେ

ଚାହୁଁ ଚାହିଁ ପୁଣି ବର୍ଷେ କାଳ−ପାରାବାରେ

ନୀରବେ ଉଭେଇ ଗଲା ବୁଦ୍‌ବୁଦ୍ ଆକାରେ ।

ଅଜ୍ଞାତେ ଜୀବନସ୍ରୋତେ ଆସୁଥିଲି ଭାସି,

ଚମକି ପଡ଼ିଲି ଆଜି ବର୍ଷଶେଷେ ଆସି ।

ଆଜି ମନେ ପଡ଼େ ମୋର ବିଗତ ବତ୍ସର

ତା ସଙ୍ଗେ ଅତୀତ−ଗର୍ଭେ ଯୁଗଯୁଗାନ୍ତର ।

ଶୁଭେ ଦୂର ପଶ୍ଚାତରେ ବିଶାଦ ସଙ୍ଗୀତ

ଆର୍ତ୍ତହାହାକାର ମର୍ମ୍ମୁଁ ହୁଅଇ ଉତ୍‌ଥିତ ।

ଅତୀତ ବକ୍ଷରେ ରାଜେ ଭଗ୍ନ ସ୍ତୂପରାଜି

ବ୍ୟର୍ଥ ଆଶା ପ୍ରାଶେ ତୀବ୍ର କ୍ଳେଶ ଦିଏ ଆଜି ।

ମଳିନ ହିମାଂଶୁ କାନ୍ଦେ ପଶ୍ଚିମାଶା ତଟେ

ଅଙ୍କିତ ଅତୀତ−ମୃତ−ଚିତ୍ର ସୃତିପଟେ ।

କିନ୍ତୁ ସମ୍ମୁଖରେ କରି ନଭ ଉଦ୍ଭାସିତ

ପ୍ରାଚୀକୋଳେ ବାଳଭାନୁ ଉଦ୍ଦାମେ ଉଦିତ ।

ମଧୁବ୍ରୀଡ଼ାନତ ନେତ୍ରେ ମୁଗ୍‌ଧା ଦେବବାଳା,

ଲମ୍ବାଇ ପ୍ରଣୟୀ ଗଳେ ବରଣର ମାଳା

ନବୀନ ଭବିଷ୍ୟ ଗେହେ ନବୀନ ଜୀବନ

ନବ ପରିବାର ଆଶେ କରେ ଆୟୋଜନ ।

ଦେଖିଣ ଏ ମଧୁମେଳ ମୋହିତ ମୋ ମନ

ପୂର୍ବ କ୍ଷୋଭ ବିସ୍ମୃତିର ନୀରେ ନିମଗନ ।

 

ଦେଖିଲି ବିବାହୋତ୍ସବେ ସର୍ବ ସଖୀଗଣ

ଉତ୍କଳେ ନ ଦେଖି କ୍ଷୁବ୍‌ଧ ହେଲା ପୁଣି ମନ ।

ପୁଚ୍ଛିଲି ପଥିକବରେ କହିପାର ଭାଇ,

ଉତ୍ସବେ ଉତ୍କଳମାତା କିପାଁ ଆସିନାହିଁ ?

 

ବୋଇଲେ, “ଉତ୍କଳ ହୋଇଅଛି ଅଙ୍ଗହୀନା

ଗଞ୍ଜାମ, ସମ୍ବଲପୁର, କାନ୍ଥିରୁ ବିଚ୍ଛିନ୍ନା ” ।

ଭାବିଲି କିଏ ସେ ଅଚି ଏ ମହୀମଣ୍ଡଳେ

ପୂର୍ଣ୍ଣାଙ୍ଗ ନବୀନ ବଳ ଦେବ ମା ଉତ୍କଳେ ?

 

ଖଣ୍ଡଗିରି

ନିଭୃତ ନିର୍ଜନ ଏହି ପୁଣ୍ୟ ଖଣ୍ଡଗିରି

ଥିଲା ଦିନେ ଏ ଗିରିର କିବା ପୁଣ୍ୟ ଶିରୀ ।

ଶ୍ରମଣ ବେଶରେ କେତେ ନୃପତି କୁମରେ-

କେତେ ବୌଦ୍ଧଭିକ୍ଷୁ ବସି ଏ ଗିର କନ୍ଦରେ;

ଅଚଳ, ଅଟଳ ଅଦ୍ରିତୁଲ୍ୟ ଯତିବେଶେ

ସାଧିଲେ ନିର୍ବାଣ ତତ୍ତ୍ୱ ଏହି ଦରୀଦେଶେ

କୋଟିକଣ୍ଠ−କଳକଳେ ପର୍ବତକନ୍ଦର

କୁହରିତ କରୁଥିଲା “ଲଳିତ ବିସ୍ତର ।”

ମଧୁର ମହାନ ଗୀତେ, ଶତକଣ୍ଠୁ ଶଦ୍ଦ

ଶୁଣି ଏଣଏଣୀଗଣ ହେଉଥିଲେ ସ୍ତବ୍‌ଧ ।

କାହିଁ ଯାଇଛନ୍ତି ବୌଦ୍ଧ ଋଷିଯୋଗୀ ଆଜି

ମଉନ ବିଷଣ୍ଣ ଆହା ଗିରିବନରାଜି ।

କାହିଁ ଗଲା ଗୌତମଙ୍କ ମହାଧର୍ମ ଦୀକ୍ଷା

‘ଅହିଂସା’, ‘ପୁରୁଷକାର’, ‘ସାମ୍ୟ’, ‘ମୈତ୍ରୀ’ ଶିକ୍ଷା,

ଶିଳାଖୋଳା ବିଳମାଳା କିବା କ୍ଷୁଦ୍ର ତୁଚ୍ଛ

ସେ ପୁତ ସଂସ୍ପର୍ଶେ ହୋଇଥିଲା ପୁଣ୍ୟେ ଉଚ୍ଚ

ଅପାର୍ଥିବ ପୁଣ୍ୟ ଧୂଳି ସ୍ତୂପ ସହ ସ୍ଥିତ

ହୋଇ କରିଥିଲା ତାହା ମୁକୁଟ ମଣ୍ଡିତ ।

ଚାନିଗଲା ପୁଣ୍ୟ ପ୍ରାଣ, ରହି ଜଡ଼କାୟା

ଯୁଗଯୁଗନ୍ତର ରଖିଅଛି ଛାୟାମାୟା ।

ଏ ପୁଣ୍ୟ ସମାଧି−କ୍ଷେତ୍ରେ ହେ ଉତ୍କଳବାସି !

ବସି ପିତୃପୁରୁଷଙ୍କୁ ସ୍ମରିଯାଅ ଆସି ।

 

ବୃଥା କି କହିବି ପଡ଼ି ଏ ପୂତ ଶ୍ମଶାନ

ନ ହେବକି ବୀରଭକ୍ତ ଜ୍ଞାନୀଙ୍କ ଉତ୍‌ଥାନ ?

“ଉତିଷ୍ଠ” ବୋଲିଣ ଆତ୍ମା ଛାଡ଼ ହେ ଚହଳ

ପ୍ରବୃଦ୍ଧ ଜାଗ୍ରତ ହେଉ ପତିତ ଉତ୍କଳ !

 

ନବ ନୀଳାଚଳ

“ସର୍ବେ ହୋଇବେ ଏକାକାର

ନ ଥିବ ବେଦର ବିଚାର ।”

-ଭାଗବତ

 

ପୁରାଣ ପବିତ୍ର ଥିଲା ନୀଳାଚଳଧାମ,

ଭୂଭାରତେ ଧରିତ୍ରୀର ଖ୍ୟାତ ଯାର ନାମ ।

କାହିଁ ଗଲା ଗୌତମଙ୍କ ମହାଧର୍ମ ଦୀକ୍ଷା-

“ଅହିଂସା ପରମ ଧର୍ମ” ଏ ମହତୀ ଶିକ୍ଷା ।

 

ଆଚଣ୍ତାଳ ବ୍ରାହ୍ମଣ ହିଁ ସମସ୍ତେ ସମାନ

ବାସନା ବିନାଶେ ନର ଲଭଇ ନିର୍ବାଣ ?

ସ୍ୱାର୍ଥାନ୍ଧ ଦ୍ୱିଜାତିଙ୍କର କ୍ରୂର ନୀତିବଳେ

ଭେଦନୀତି ହେଲା ପୁଣି ସ୍ଥାପିତ ଉତ୍କଳେ ।

 

କାହିଁ ଗଲା ଗୌତମଙ୍କ ଚରେଣ୍ୟ ନିର୍ବାଣ

ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱ ବେଦାନ୍ତ ମହାନ ?

ବ୍ରହ୍ମଜ୍ଞ ଶଙ୍କରାଚାର୍ଯ୍ୟ ବିଶ୍ୱାସୀ କବୀର

ଶ୍ରୀଚୈତନ୍ୟ, ରାମାନନ୍ଦ ଆଦି ପ୍ରେମବୀର;

ହରିଦାସ, ଜଗନ୍ନାଥ, ତୁଳସୀ, ଅଚ୍ୟୁତ

କରିଥିଲେ ଏହି ଭୂମି ଉଜ୍ଜୀବିତ ପୂତ ।

 

ନିଖିଳ ଭାରତେ ଶ୍ରେଷ୍ଠ ଠାବ ଏ ଉତ୍କଳ

ଥିଲା ଜ୍ଞାନ−ପୂଣ୍ୟ−ଭକ୍ତି−ସମନ୍ୱୟ ସ୍ଥଳ ।

ସମଗ୍ର ଭାରତେ କରେ ଭ୍ରାତୃତ୍ୱେ ବନ୍ଧନ

ଶ୍ରୀକ୍ଷେତ୍ର କରିଣ ସାମ୍ୟଧର୍ମ୍ମ ସଂରକ୍ଷଣ ।

 

ଶତବୀର ଶିଳ୍ପୀ କବି ଭକ୍ତ ଯେଉଁ ଦେଶେ

ଜନ୍ମିଲେ, ପତିତ ସେହି ଆହା ଦୀନବେଶେ !

ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ,

ଅରକ୍ଷିତ ଦାସ, ବୀରସିଂହ, ଯଶୋବନ୍ତ,

ଏ ପୁଣ୍ୟ ଉତ୍କଳେ ଜନ୍ମି ଭ୍ରମି ଗ୍ରାମେ ଗ୍ରାମେ

ପ୍ରଚାରି ପବିତ୍ର କଲେ ପରଂବ୍ରହ୍ମ ନାମେ ।

 

ସାମ୍ୟ ଆଲୋକରେ ଦୀପ୍ତ ଉତ୍କଳମଣ୍ଡଳ

ପଡ଼ିଗଲା ସଂକୀର୍ଣ୍ଣତା କରାଳ କବଳ !

ପ୍ରାଚୀନ ଭାରତେ ତାର ଥିଲା ଯେଉଁ ସ୍ଥାନ

ଫେରିବ କି ଉତ୍କଳର ସେ ମହା ସମ୍ମାନ ?

ଶ୍ରେଷ୍ଠ ତୀର୍ଥ ହେବ ଏହା ନବ ଯୁଗ ଧର୍ମେ

ଜଗତ−ଆଦର୍ଶ ଜ୍ଞାନ−ପୁଣ୍ୟ−ଯୋଗ କର୍ମେ ?

ଅଭ୍ରଭେଦୀ ସୁବିଚିତ୍ର ଉତ୍ତୁଙ୍ଗ ମନ୍ଦିର

ଖଣ୍ଡ ଦେବତାଙ୍କୁ ପୂଜୁଥିଲା ସେ ସୁଚିର;

ମାନବ ମାନସ ପୀଠ ମହାନ ବିଚିତ୍ର

ସତ୍ୟ−ଶିବ−ସୁନ୍ଦରର ପ୍ରତିମା ପବିତ୍ର

ହେବ ଏ ଦେଶୀୟଙ୍କର, ଦିଗଦିଗନ୍ତରେ

ପ୍ରଚାରିତ ହେବ ତାହା ଅବନୀ ମଧ୍ୟରେ ?

ନବଯୁଗେ ନବତୀର୍ଥ, ନବ ଧର୍ମବଳ,

ଧରି ହୃଦେ ବିରାଜିବ ନବୀନ ଉତ୍କଳ ?

ପୁରାଣ ଶ୍ରୀକ୍ଷେତ୍ର ହେବ ନବତୀର୍ଥସ୍ଥଳ

ଦିଗଦିଗନ୍ତରାଗତ ଯାତ୍ରୀରେ ଗହଳ ।

ଆସିବ କି ସେହି ଶୁଭଦିନ ଏ ଉତ୍କଳେ

ବୌଦ୍ଧ, ବଇଷ୍ଣବ, ଶୈବ, ଜୈନ ଏ ସକଳେ

ମହାସମନ୍ୱୟ ଧର୍ମେ ହସ୍ତ ଧରାଧରି

ହୋଇଣ, ଦେଖିବେ ବିଶ୍ୱମୟ ଏକ ହରି ?

“ସର୍ବେ ହେବେ ଏକାକାର, ନ ଥିବ ବେଦର

ବିଚାର” ଏ ବାଣୀ ସତ୍ୟ ହେବ କି ଶାସ୍ତ୍ରର ?

ଉପଧର୍ମ କୁସଂସ୍କାର ଜାତିଭେଦ ଜ୍ଞାନ

ପବିତ୍ର ଉତ୍କଳୁଁ ଦୂରେ କରିବ ପ୍ରୟାଣ ?

 

ଉତ୍କଳୀୟେ ଏକଜାତିରୂପେ ପରିଣତ

ହୋଇ ଜଗତରେ ପୁଣି ହେବେ ସୁମହତ ?

ସକଳ ଉତ୍କଳ ପୁଣି ନିଖିଳ ଭାରତ

ବିଶାଳ ଧରଣୀ ସଙ୍ଗେ ହେବ ସୁମହତ ?

 

ଜ୍ଞାନ, କର୍ମ ପ୍ରେମେ ଭାରତୀୟେ ସମୁତ୍‌ଥିତ

ସାଧିବେ ସୁସଭ୍ୟ ଜାତି ସଙ୍ଗେ ବିଶ୍ୱହିତ ?

 

ସିନ୍ଧୁପ୍ରତି

ଉଦାର ପବିତ୍ର ସ୍ୱଚ୍ଛ ଗଭୀର ଗମ୍ଭୀର

ଅନନ୍ତ ଅସୀମ ଭୂମା ଅଗମ୍ୟ ଅଲଙ୍ଘ୍ୟ

ଅକ୍ଷୟ ଅମର ଚିର ଅଜେୟ ଅପାର

ବିଚିତ୍ର ନୀଳୋର୍ମିମାଳା ଉଦ୍ଦାମ ଉନ୍ମତ୍ତ

ଉତ୍ତୁଙ୍ଗ ତରଙ୍ଗୋଚ୍ଛ୍ୱାସୀ ଅଭ୍ରଭେଦୀ ଶିର,

ନଭଶ୍ଚୁମ୍ୱୀ ଅମ୍ୱୁରାଶି−କଲ୍ଲୋଳବିଳାସୀ

ବୀଚିମାଳ କଳକଳ ତରଳ ଚପଳ

ଫେନିଳ ଚଞ୍ଚଳ ଚଳ କୋମଳ ମୃଦୁଳ,

ଟଳ ଟଳ ଢଳ ଢ଼ଳ ଉତ୍ତାଳ କରାଳ

ଅତଳ ଅକୂଳ ଭୀମ ଦୁର୍ଗମ ଦୁଃସହ

ଚିକ୍‌କଣ ବନ୍ଧୁର ଉଚ୍ଚ ନୀଚ ବହୁରୂପୀ

ରେ ସିନ୍ଧୁ ! କି ମହାଭାବେ ତୁ ଅନୁପ୍ରାଣୀତ ?

କି ଗୂଢ଼ ଉଦ୍ଦେଶ୍ୟେ ସଦା ହେ ରହସ୍ୟମୟ ।

ଧରିତ୍ରୀ−କର୍ଣ୍ଣରେ କହୁ ନିରତେ କି ବାର୍ତ୍ତା ?

ମହୀ ଦେହେ ମୁଣ୍ଡ ପିଟି ଫେଡ଼ୁ କି ରହସ୍ୟ ?

ଉନ୍ମତ୍ତ ଧୂର୍ଜଟୀ ସମ ପ୍ରଳୟ−ପ୍ରୟାସୀ

ପ୍ରଚଣ୍ଡ ତାଣ୍ଡବ ନୃତ୍ୟେ ପ୍ରକାଣ୍ଡ ବ୍ରହ୍ମାଣ୍ଡ

ମତାଇବୁ କେତେ ଆହା କେତେ ପୁରାତନ

ତୋର ଏହି ବର ବପୁ ଯୁଗଯୁଗାନ୍ତର

ପ୍ରକାଶିତ ନୀଳାକାଶ ତଳେ ନୀଳସିନ୍ଧୁ !

କେତେ ରତ୍ନ, ମୁକ୍ତା, ମଣି, ମାଣିକ୍ୟ, ପ୍ରବାଳ,

ସଞ୍ଚିତ ହେ ରତ୍ନାକର ତୋ ମହା ଉଦରେ !

କେତେ କେତେ ଜାତି, କେତେ ସାମ୍ରାଜ୍ୟ, ନଗରୀ

ତୋ ଜଳ ବୁଦ୍ ବୁଦ୍ ସମ ତୋ ପୁଳିନେ ହସି

କାଳର କରାଳୋଦରେ ଗଲେ ଯେ ଉଭେଇ

କାନ୍ଦି, କାନ୍ଦି, ତା କଳନା ନାହିଁ ନୀରନିଧି !

ଅନନ୍ତ ବିସ୍ତୃତ ତୋର ନୀର−ଆସ୍ତରଣ

ଅନାଇ ଗାଆନ୍ତି ନଭୁଁ ବିହଙ୍ଗମଗଣ;

ପୂର୍ଣ୍ଣମାରେ ନୀଳବକ୍ଷୁଁ ଉଠଇ ଉଛୁଳି

ନୀରରାଶି ନୀରନିଧି ! ସମଗ୍ର ହୃଦୟ

ତରଳ ପ୍ରଣୟରୂପେ ଉଠେ କି ଉଛୁଳି ?

ପ୍ରସାରିଣ ଶୀତକର ଆଦରେ ଚନ୍ଦ୍ରମା

ଯେହ୍ନେ ଆହ୍ୱାନଇ ତୋତେ ବ୍ୟାକୁଳେ ବାରିଧି !

ଲୋଡ଼ୁ କିବା ଆପଣାକୁ ଊର୍ଦ୍ଧ୍ୱେ ଫିଙ୍ଗିବାକୁ ?

ତୋ ଉଦାର ରୂପ ଦେଖି ଫୁଲ୍ଲ ବିସ୍ଫାରିତ

ଧରାଧୂଳି ପୃଥିବୀର କ୍ଷୁଦ୍ର ସ୍ୱାର୍ଥ ବର୍ଜି

ବିଶାଳ ଅମ୍ବରେ ଚିତ୍ତ ହୁଏ ରେ ଉତ୍‌ଥିତ ।

କାହିଁକି ଆସକ୍ତ ବଦ୍ଧ ମୋର କ୍ଷୁଦ୍ର ପ୍ରାଣ,

କିମ୍ପାଇ ଭାରତବାସୀ ଶୁଷ୍କମ୍ରିୟମାଣ ?

ତୋ ମହାଭାବରେ ଦିନେ ମାତି ଭାରତୀୟେ

ଦୂରେ ପିଙ୍ଗି ଧୂଳି କ୍ରୀଡ଼ୁଥିଲେ ତୋ ବକ୍ଷରେ,

ଦୁର୍ଦ୍ଦିନେ ହରାଇ ବସି ତୋ ସ୍ୱର୍ଗୀୟ ପ୍ରୀତି

ପଲ୍ୱଳ ମଣ୍ଡୁକ ପରି ସଙ୍କୀର୍ଣ୍ଣ ଆବଦ୍ଧ,

ତୋ ପବିତ୍ର ତୋୟା ସ୍ପର୍ଶେ ଯାଏ ତେଣୁ ଜାତି,

ତୋ ଉଦାର ସୌନ୍ଦର୍ଯ୍ୟରେ ନ ମାନଇ ମନ,

ଧାତୁ ଅଳଙ୍କାରେ ତେଣୁ ମଣନ୍ତି ସ୍ୱବପୁ,

ନିମ୍ନେ ନୀଳସିନ୍ଧ, ଊର୍ଦ୍ଧ୍ୱେ ନୀଳ ମହାକାଶ,

ରାକା ରଜନୀରେ ଶୁଭ୍ର କୌମୁଦୀ ପ୍ରକାଶ,

ଏ ବିମୁକ୍ତ ଲାବଣ୍ୟରେ ସରଳତା ବୋଳା-

ପ୍ରୀତି ସ୍ପର୍ଶିନ ପାରୁଛି ସ୍ୱଦେଶ−ହୃଦୟ,

ଖଡ଼ୁ ନୋଲି କଣ୍ଠି ସୂତା କୁଣ୍ଡଳାଦି ନାଇ

ଘୋର ଶୁଙ୍ଖଳିତ ଦେଶାଚାରେ ଲୋକାଚାରେ

ପରସ୍ପର ବିସମ୍ୱାଦୀ ବହୁ ଶାସ୍ତ୍ରାଚାରେ;

ଜୀବାତ୍ମାର ମୁକ୍ତ ଜ୍ଞାନ ଆତ୍ମ ସ୍ୱାଧୀନତା

ଲୁଚିଅଛି ଯାଇଁ ମିଥ୍ୟା ଲମ୍ଫନତା ଦ୍ୱେଷେ ।

ହା ଭାରତ ! ଧୂଳି ମଳିବିଲୁଣ୍ଠିତ ଆଜି

ପର−ଉପଜୀବୀ ଭଣ୍ଡ ଗୋଡ଼ତଳେ ପଡ଼ି !

କାହାନ୍ତି ବରେଣ୍ୟ ଭର୍ଗ ବିରାଟ ବରୁଣ,

ଯା ଦର୍ଶନ ସିନ୍ଧୁ ମଧ୍ୟେ ଲଭି ପିତୃଗଣ

ବୈଦିକ ଯୁଗରେ ପୂଜୁଥିଲେ ଦେବରୂପେ

ମହାଶକ୍ତିଶାଳୀ ପାଶୀ ଲକ୍ଷ୍ମୀଙ୍କ ଜନକ ?

ବହିତ୍ର ଭସାଇ ସିନ୍ଧୁ ତୋ ବିସ୍ତୀର୍ଣ୍ଣବକ୍ଷେ

କେତେ ଧନ ସୁସମ୍ପଦ ବହି ବିଦେଶରୁ

କେତେ ରତ୍ନ, ମଣି, ମୁକ୍ତା ତୋ ଗଭୀର ଗର୍ଭୁଁ

ଉଦ୍ଧାରିଣ ସୁମଣ୍ଡିତ କଲେ ନିଜ ଗେହେ !

ପରମାତ୍ମା−କଳା−ପ୍ରକାଶକ ମହାସିନ୍ଧୁ,

ବିରାଟ ପୁରୁଷଙ୍କର ଛାୟା ତୋ ବକ୍ଷରେ,

ଉନ୍ମତ୍ତ ମରୁତୋଚ୍ଛ୍ୱାସ ମଧ୍ୟେ ମହାଶକ୍ତି,

ମଧୁର ମଳୟାନୀଳେ କରୁଣା ପ୍ରାସାଦ,

ଯାଙ୍କ ସେ ବରେଣ୍ୟ ଭର୍ଗ ସର୍ବବ୍ୟାପୀ ଦେବ

ସର୍ବ ଶକ୍ତିମାନ ସର୍ବଦର୍ଶୀ ଅନ୍ତର୍ଯ୍ୟାମୀ

ସର୍ବଘଟେ ଜଡ଼ୋଦ୍ଭିଜ୍ଜେ ପ୍ରାଣୀଗଣ ମଧ୍ୟେ

ବିରାଜନ୍ତି ଭାବଜ୍ଞାନ ଇଚ୍ଛାଶକ୍ତିରୂପେ;

ଭକ୍ତି ଜ୍ଞାନ କର୍ମରୂପେ ମାନବ ମନରେ

ସୁସୌନ୍ଦର୍ଯ୍ୟ ସତ୍ୟ ପୁଣ୍ୟ ପବିତ୍ରତାରୂପେ

ସତ୍ୟ ଶିବ ସୁନ୍ଦର ସେ ଦ୍ୟୁଲୋକ ଭୂଲୋକେ

ଅନ୍ତରୀକ୍ଷେ ଜଳେ ସ୍ଥଳେ ବିଶ୍ୱବ୍ରହ୍ମାଣ୍ଡରେ

ବ୍ରହ୍ମରୂପେ ଏକ ଆତ୍ମା ପ୍ରେମ−ପବିତ୍ରତା

ଧନେ ଧନୀ ଜ୍ଞାନୀଗଣ ଦେଖନ୍ତି ସେ ଦେବେ,

ଦେଖୁଥିଲେ ପୁରାକାଳେ ଭାରତୀୟ ଋଷି,

ତେଣୁ “ଏକମେବ−ଅଦ୍ୱିତୀୟଂ” ମହାତାନ

ସ୍ଫରିଥିଲା ଋଷି କଣ୍ଠୁ ପ୍ରଣବ ଛନ୍ଦେ,

ଜାହ୍ନବୀ ଯମୁନା ପୂତ ବ୍ରହ୍ମାବର୍ତ୍ତ ଧାମେ

ଉଭାହୋଇ ଋଷି ପୁଣ୍ୟ ଦୃଷଦ୍‌ବତୀ ତଟେ

ମହାନ ଗମ୍ଭୀର ମନ୍ଦ୍ରେ ପ୍ରଶାନ୍ତ ପ୍ରଭାତେ

‘ସତ୍ୟମେବ ଜୟତେ’ ଏ ମହାଧ୍ୱନି ଧରି,

ନୀଳାକାଶେ ଧରିତ୍ରୀର ପର୍ବତେ କାନନ

ସ୍ରୋତସ୍ୱତୀ ଝଙ୍କାରରେ ସିନ୍ଧୁ ! ତୋ କଲ୍ଲୋଳେ

ବିହଙ୍ଗମ କାକଳୀରେ ପର୍ଜ୍ଜନ୍ୟ ଗର୍ଜ୍ଜନେ

ଶୁଣିଥିଲେ ସେହି ଏକ ମହାନ ଶବଦ ।

ଭାରତ ହରାଇ ଆଜି ସେ ମହାନ ଧନେ

ହେୟ ଆଜି ଧରତ୍ରୀର ସର୍ବଲୋକମଧ୍ୟେ ।

ଖଣ୍ଡ ଖଣ୍ଡ କରି ଏକ ମହାନ ଦେବତା

କ୍ଷୁଦ୍ର ନଦୀ ପଲ୍ୱଳକୁ ତୋ ଜଳକୁ ଯେହ୍ନେ

କ୍ଷୁଦ୍ର ଶିଳା ଇନ୍ଧନରେ, ବଦ୍ଧ ରଖି ପ୍ରାଣ

ଭେଦ ବୁଦ୍ଧି ବିଚାରିଣ ଆତ୍ମା ଆତ୍ମା ମଧ୍ୟେ

ଅଶୁଚି ମଣଇ ଏକ ଅନ୍ୟ ସଂସ୍ପରଶେ ।

ଦେ ରେ ସିନ୍ଧୁ ଦେ ରେ ସର୍ବ ଏକାକାର କରି

ସର୍ବଘଟେ ବିରାଜନ୍ତି ପରମାତ୍ମା ହରି ।

ମହାନ ଦେବତା ଭକ୍ତ ହୋଇ କିମ୍ପା ଆର୍ଯ୍ୟ

ଆଚରିବେ ହୀନ ବୁଦ୍ଧି ଅଜ୍ଞାନ ସମାନ ?

ଯାର ପ୍ରଭୁ ଯେଡ଼େ ତାର ମନ ହୁଏ ତେଡ଼େ,

କିପାଁ ତେବେ ଆଚରିବି ହୀନ କ୍ଷୁଦ୍ର ବୁଦ୍ଧି ?

ସଂସାର ଟାଣଇ ନିଜ ସ୍ୱାର୍ଥ−ଜମ୍ୱାଳକୁ,

ନିଅ ମହାସିନ୍ଧୁ ମୋତେ ପୁଣ୍ୟ ତ୍ରିଦିବକୁ,

ସ୍ମରି ତୋତେ ପ୍ରସାରିତ ହେଉ କ୍ଷୁଦ୍ର ଚିତ୍ତ-

ସଂସାରର କ୍ଷୁଦ୍ର କ୍ଷୁଦ୍ର ବିପତ୍ତିକେ ଭୀତ,

ତୋ ମଧ୍ୟେ ଯେ ଭୂମା ପ୍ରଭୁ ଚିର ପ୍ରକାଶିତ

ତାଙ୍କ ଉପାସନା ରସେ ମଗ୍ନ ରହୁ ଚିତ୍ତ ।

ତୋତେ ତେଜି କ୍ଷୁଦ୍ର ଗଙ୍ଗା ଯମୁନାର ନୀର

ଅଜ୍ଞ ନାରୀ ଶିଶୁ ସମ ନବୋଳେ ଶରୀର,

ଆତ୍ମା କରି ପବିତ୍ରିତ ଆତ୍ମାରୂପୀ ହରି

ନିଜମଧ୍ୟେ ଜଗତରେ କରେଁ ମୁଁ ଦର୍ଶନ ।

ତୋ ତୀରେ ଆସିଛି ସିନ୍ଧୁ ଦେ’ରେ ଶାନ୍ତି ମୁକ୍ତି,

ସ୍ୱାର୍ଥ−ହିଂସା−ରିପୁ−ତାପ−ମୃତ୍ୟୁ−ଜରା−ଭୀତି

ଅଳଙ୍କାର ବ୍ୟତିକ୍ରମ ଯତିଭଙ୍ଗ ଭୀତି-

ସର୍ବ−ଅପଭୟୁଁ ସିନ୍ଧୁ ଦେ’ରେ ସ୍ୱାଧୀନତା,

ତୋ ତରଙ୍ଗ ତାଳେ ତାଳେ ନାଚିଉଠୁ ପ୍ରାଣ,

ପଦାଘାତ କରେ ଭୀରୁ ସଂସାରୀ−ଭ୍ରୂକୁଟୀ,

ପ୍ରଚଣ୍ଡ ତାଣ୍ଡବେ ମାତି ଉଠୁ ଏ ଭାରତ

ପୌରହିତ୍ୟ ଜାତିଭେଦ ବାଳିକାବୈଧବ୍ୟ,

ବୃଦ୍ଧ ବାଳିକାର ଘୃଣ୍ୟ ବିଷମ ବିବାହ

ପୁତ୍ତଳିକା କ୍ରୀଡ଼ା ସମ ବାଳିକା ବିବାହ,

ଅନ୍ଧ ଜଡ଼ ପୂଜା, ମୂର୍ଖ ନର ପାଦପୂଜା,

ଔଦାସିନ୍ୟ କପଟତା ମିଥ୍ୟା ରିପୁ−ସେବ ।

ଲୋକ−ଭୟ କୁସଂସ୍କାର, ନାରୀ−ଦୁର୍ବଳର-

ଆସୁରିକ ଅତ୍ୟାଚାର, ପ୍ରଳୟ−ଉଚ୍ଛ୍ୱାସେ

ଭାସି ଯାଉ ମହାସିନ୍ଧୋ ! ଚିରକାଳ ସରି ।

 

ଗୀତ ଓ ସେବା

ଗୀତେ କି ଏ ଜନ୍ମ ହେବ ମୋ ଅନ୍ତ,

ଗାଇ ଗାଇ ହେବି ମୁଁ ଭାଗ୍ୟବନ୍ତ ?

ଗାୟନ ମାତ୍ର ତ ନୁହେଁ ଜୀବନ,

ଜୀବନ କର୍ତ୍ତବ୍ୟ ସୁସମ୍ପାଦନ ।

 

ଗାଇ ଗାଇ ଯେହୁ ଭଜେ ମରଣ

ଅଟଇ ଜୀବନ ତା ଅକାରଣ ।

ଜୀବନ ନ ଥିଲେ ଖାଲି ଗାୟନ

କାହାରି ନ କରେ ହିତ ସାଧନ ।

 

ଆସ ରଙ୍କୀ, ରୋଗୀ, କ୍ଷୁଧାର୍ତ୍ତ, ଦୀନ

ରୋଗେ ପାପେ ନୋହୁ ମଳିନ ହୀନ ।

ସେବା କରି ହେଉ ଧନ୍ୟ ଜୀବନ,

ହେବ ସେ ଜୀବନ୍ତ ବାକ୍ୟ ରଚନ,

କରି ତାହା ଜନେ ଅନୁକରଣ

କରିବେ ଏ ଭବେ ସ୍ୱର୍ଗ ସ୍ଥାପନ ।

 

ବ୍ରାହ୍ମ ମୁହୂର୍ତ୍ତ

ବ୍ରାହ୍ମମୁହୂର୍ତ୍ତରେ ବିଭୋ ! ଯେ ଦିବ୍ୟ ବିଭବ

ତବ କୃପା ଶୁଣେ ଚିତ୍ତେ କରେଁ ଅନୁଭବ

ବିଭ୍ରଷ୍ଟ ସେ ବୈକୁଣ୍ଠରୁ ହେ ମମ ଦେବତା !

ବିଷୟା ବିଷରେ ମଜ୍ଜି ହଜେ କିମ୍ପା ଚେତା ?

 

କଥା ଓ ଜୀବନ

କେତେ କେତେ ଉଚ୍ଚ କଥା କହେ ମୁଁ ବଚନେ,

କେତେ କେତେ ଦୁର୍ବଳତା ଅଛି ମୋର ମନେ,

ଅନ୍ତର୍ଯ୍ୟାମି ଜାଣ ସବୁ ମୋ ପ୍ରାଣଦୀନତା,

କେବେ ହେବ ପ୍ରଭୋ ! କଥା−ଜୀବନ−ସମତା ?

 

ଆଦର୍ଶ ଗୀତ

କି ଗୀତ ଗାଇଲେ ମୋର ଧନ୍ୟ ହେବ ପ୍ରାଣ

କି ଗୀତ ଗାଇଲେ ମୃତେ ଦେବି ଜୀବ ଦାନ,

କି ଗୀତ ଗାଇଲେ ନିଜେ ପ୍ରାଣ ପାଇବଇଁ,

ସେହି ଗୀତ ପାଇଁ ମୋର ହୃଦ ହୁଏ ଦହି ।

 

ସେହି ଗୀତ ଗାଇଲେ ଆଉ ନ ଗାଇବି ଗୀତ,

ସେ ଗୀତ ଗାଇଲେ ହେବ ଚିରତୃପ୍ତ ଚିତ୍ତ,

ସେ ଗୀତ କୋକିଳ−କଣ୍ଠେ ନବୀନ ବସନ୍ତେ,

ଅସ୍ତମାନ ଭାନୁ ଗାଏ ନିତ୍ୟ ଦିବା−ଅନ୍ତେ,

ସେ ଗୀତ ଗାଆନ୍ତି ସଦା−ଋତୁ−ପରମ୍ପରା,

ଘୁମନ୍ତି ସେ ଗୀତ ଗାଇ ସସାଗରା ଧରା ।

 

ସେ ଗୀତ ପ୍ରକୃତି ଗାଇ ହୁଏ କୃତକାମ,

ସେ ଗୀତେ ମୁମୁକ୍ଷୁ ପାନ୍ତି ଚିର ମୋକ୍ଷ−ଧାମ,

ସେ ଗୀତ ନ ପାଇ ସଦା ବ୍ୟାକୁଳ ମୋ ମନ,

ହେବ କି ସେ ଗୀତେ ଧନ୍ୟ ମୋ କବି ଜୀବନ ?